Categories: ଜାତୀୟ

ଉତ୍ସବ ମନାଇ ୭ କଶ୍ମୀରୀ ଛାତ୍ର ଗିରଫ

ଶ୍ରୀନଗର,୨୯ା୧୧: ବିଶ୍ୱକପ୍‌ କ୍ରିକେଟ ଫାଇନାଲ ମ୍ୟାଚ୍‌ରେ ଭାରତର ପରାଜୟକୁ ନେଇ ଉତ୍ସବ ମନାଇବା ସହ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିବା ଜମ୍ମୁ-କଶ୍ମୀରର ୭ ଛାତ୍ରଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ) ବଳରେ ଗିରଫ କରାଯାଇଛି। ସେମାନେ କଶ୍ମୀରର ଶେର୍‌-ଇ-କଶ୍ମୀର କୃଷିବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର ଛାତ୍ର। ସେମାନଙ୍କ ବିରୋଧରେ ୟୁଏପିଏ ଏବଂ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଉକ୍ତ ଛାତ୍ରମାନେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରୁଥିବା ଅନ୍ୟମାନଙ୍କୁ ଗାଳିଦେବା ସହ ଧମକ ଦେଇଥିଲେ। ପଞ୍ଜାବର ଜଣେ ଛାତ୍ରଙ୍କ ଅଭିଯୋଗକ୍ରମେ ସେମାନଙ୍କୁ ଗିରଫ କରାଯାଇଛି।
ଅନ୍ୟପକ୍ଷରେ ଛାତ୍ରମାନଙ୍କ ଗିରଫଦାରିକୁ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ନିନ୍ଦା କରିବା ସହ ଏହା ଚିନ୍ତାଜନକ ବୋଲି କହିଛନ୍ତି। ଏହାର ପୁନର୍ବିଚାର ଲାଗି ସେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ନିବେଦନ କରିଛନ୍ତି। ଏକ ବିଜୟ ଟିମ୍‌ ପାଇଁ ଉତ୍ସବ ମନାଇବାକୁ କଶ୍ମୀରରେ ଅପରାଧୀକରଣ କରାଯିବା ଦୁଃଖଦାୟକ ବୋଲି ସେ ମତ ଦେଇଛନ୍ତି। ସାମ୍ବାଦିକ, ଆକ୍ଟିଭିଷ୍ଟଙ୍କ ବିରୋଧରେ ଏଭଳି କଠୋର ଆଇନ ଲାଗୁ କରାଯିବା ଏଠାରେ ସାଧାରଣ ଘଟଣାରେ ପରିଣତ ହୋଇଥିବାବେଳେ ଏବେ ଛାତ୍ରମାନଙ୍କଠାରେ ମଧ୍ୟ ସମାନ ଆଇନ ପ୍ରୟୋଗ କରାଯାଇଛି, ଯାହା ଜମ୍ମୁ-କଶ୍ମୀରର ଯୁବବର୍ଗଙ୍କ ପ୍ରତି ପ୍ରଶାସନର ମାନସିକତାକୁ ପ୍ରତିଫଳିତ କରୁଛି ବୋଲି ମେହବୁବା କହିଛନ୍ତି।

Share