ରେଳ ବିଭାଗରେ ଚାକିରି ନାଁରେ ୭ ଲକ୍ଷ ଠକେଇ: ଭୁବନେଶ୍ବରରୁ ଜଣଙ୍କୁ ଗିରଫକଲା ମାଲକାନଗିରି ପୋଲିସ

ମାଲକାନଗିରି, ୨୫ା୯(ଦୁର୍ଯ୍ୟୋଧନ ପାତ୍ର): ରେଳ ବିଭାଗରେ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ବୁଧବାର ଗିରଫ କରିଛି।
ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌ଭି ୨ରେ ରହୁଥିବା ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରେଳ ବିଭାଗରେ ଚାକିରି କରାଇଦେବା ପ୍ରଲୋଭନ ଦେଇଥିଲେ କୋରାପୁଟ ଜିଲା ଜୟପୁର ଅଞ୍ଚଳର ସନ୍ତୋଷ ସାହୁ। ତେବେ ଏଥିରେ ପ୍ରଜ୍ଞା ପ୍ରଲୋଭିତ ହୋଇ ଟଙ୍କା ଦେବାକୁ ରାଜି ହୋଇଥିଲେ। ପରେ ସନ୍ତୋଷ ପ୍ରଜ୍ଞାଙ୍କୁ ବିକ୍ରମ କୁମାର ଜେନା ନାମକ ବ୍ୟକ୍ତିଙ୍କ ସହ ସାକ୍ଷାତ କରାଇଥିଲେ। ଅଭିଯୁକ୍ତମାନେ ପ୍ରଜ୍ଞାଙ୍କୁ ନିଯୁକ୍ତିପତ୍ର ପାଇଁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଡାକ୍ତରୀ ପରୀକ୍ଷା ପାଇଁ ଡାକିଥିଲେ। ତା’ପରେ ଅଭିଯୁକ୍ତମାନେ ତାଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ରେଳ ବିଭାଗ ବୋର୍ଡର ନକଲି ସିଲ୍‌ ଥିବା ଏକ ନିଯୁକ୍ତିପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏହାପରେ ଅଭିଯୁକ୍ତମାନେ ପ୍ରଜ୍ଞାଙ୍କୁ ଚନ୍ଦ୍ରକାନ୍ତ ମହାନ୍ତିଙ୍କ ସହ ସାକ୍ଷାତ କରାଇଥିଲେ, ଯିଏକି ନିଜକୁ ଦିଲ୍ଲୀର ରେଳ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଏହାକୁ ନେଇ ପ୍ରଜ୍ଞା ଅଭିଯୁକ୍ତମାନଙ୍କ ଉପରେ ବିଶ୍ବାସକରି ପର୍ଯ୍ୟାୟକ୍ରମେ ୭ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ଅଭିଯୁକ୍ତମାନେ ପ୍ରଜ୍ଞାଙ୍କୁ ଚାକିରି କରାଇ ନ ଦେବା ସହ ଟଙ୍କା ମାଗିଲେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରଜ୍ଞା ମାଲକାନଗିରି ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାରକରି ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତ ବିକ୍ରମ କୁମାର ଜେନାଙ୍କୁ ମାଲକାନଗିରିର ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଯାଇ ଭୁବନେଶ୍ବର ଅଞ୍ଚଳରୁ ଗିରଫକରି ମାଲକାନଗିରି କୋର୍ଟରେ ହାଜର କରାଇଛି। ତେବେ ଗିରଫ ବ୍ୟକ୍ତି ଜଣଙ୍କ ବିଭିନ୍ନ ସ୍ଥାନରେ ଏହିପରି ଲୋକଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଠକିଥିବା ସୂଚନା ମିଳିଛି। ପୋଲିସ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତି ଅଛନ୍ତି ସେନେଇ ତଦନ୍ତ ଚଳାଇଥିବା ଜଣାପଡିଛି।