ଭୁବନେଶ୍ୱର,୨୪।୨ (ବ୍ୟୁରୋ): ୨୦୨୦ରେ ରାଜ୍ୟରେ ୭,୫୪,୬୩୧ ଜଣ କେନ୍ଦୁପତ୍ର ତୋଳାଳି ପଞ୍ଜୀକୃତ ହୋଇଛନ୍ତି। ୨୦୨୧ରେ ତୋଳାଳିଙ୍କୁ କେନ୍ଦୁପତ୍ର ମୂଲ୍ୟ ବାବଦକୁ ବନ୍ଧେଇ ପ୍ରତି କେରି ପିଛା ୧ଟଙ୍କା ୨୦ ପଇସା ଦିଆଯାଉଥିବା ବେଳେ ଫାଳ କେରି ପ୍ରତି ୨ ଟଙ୍କା ୪୦ ପଇସା ଦିଆଯାଉଛି। ୨୦୨୦-୨୧ରେ ରାଜ୍ୟର ୧୫ଟି ବନଖଣ୍ଡରୁ ୨ ଲକ୍ଷ ୪୫ ହଜାର ୯୫୦ କୁଇଣ୍ଟାଲ ଶାଳପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଶାଳପତ୍ରରେ ତିଆରି ସାମଗ୍ରୀ ଦେଶ ବିଦେଶରେ ତଥା ଅନ୍ୟ ରାଜ୍ୟରେ ବିକ୍ରି କରିବା ପାଇଁ ଗତ ୫ ବର୍ଷ ମଧ୍ୟରେ ୨୦୧୬-୧୭ ଠାରୁ ୨୦୨୦-୨୧ ମଧ୍ୟରେ ସମୁଦାୟ ୭,୦୭,୮୧୮ କୁଇଣ୍ଟାଲ ଶାଳପତ୍ର ଚାଲାଣ କରି ବଜାର ସୃଷ୍ଟି କରାଯାଇଛି। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳ ବେଳେ ବିଜେଡି ସଭ୍ୟ ଅଙ୍ଗଦ କଅଁରଙ୍କ ମୂଳ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ମୂଳ ପ୍ରଶ୍ନକର୍ତ୍ତା କେଉଁ ଜିଲାରେ କେତେ କେନ୍ଦୁପତ୍ର ସଂଗ୍ରହ ହେଉଛି। ଏଥିରେ କେତେ ଜଣ ନିୟୋଜିତ ଅଛନ୍ତି ଓ ପଡିଘର ସଂଖ୍ୟା କେତେ ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟର ୨୨ଟି ଜିଲାରେ କେନ୍ଦୁପତ୍ର ସଂଗ୍ରହ କରାଯାଉଛି। ଏଥିରେ ୮.୫ ଲକ୍ଷ ଲୋକ ନିୟୋଜିତ ଅଛନ୍ତି। ୧୮ ହଜାର ବନ୍ଧେଇ ଶ୍ରମିକ ଥିବା ବେଳେ ୧୮ ହଜାର ଋତୁକାଳୀନ ଶ୍ରମିକ ରହିଛନ୍ତି। ୧୦୭୮ଟି କେନ୍ଦ୍ରୀୟ ଗୋଦାମ ଗୃହ ରହିଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପଚାରିଲେ, କେନ୍ଦୁପତ୍ର ଉନ୍ନୟନ ପାଣ୍ଠି କେବେ ଗଠନ ହୋଇଥିଲା। ଏହା କେତେ ଥର ବସୁଛି। ତୋଳାଳିଙ୍କ ବିକାଶ ପାଇଁ କ’ଣ କରାଯାଇଛି। ମନ୍ତ୍ରୀ କହିଲେ, କେନ୍ଦୁପତ୍ର ବିକ୍ରିରୁ ଯେଉଁ ଅର୍ଥ ଆସୁଛି ତାହା ତୋଳାଳି ଓ ବନ୍ଧାଳିଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉଛି। ୨୦୧୫ରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଭିତ୍ତିଭୂମି ବିକାଶ ସହ ତୋଳାଳିଙ୍କୁ ବୋନସ, ପଢିବା ପାଇଁ ସୁବିଧା, ଝିଅ ବାହାଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦୁପତ୍ର ଉନ୍ନୟନ ପାଣ୍ଠି ବୈଠକ ନିୟମିତ ବସୁଛି। ବିଜେଡି ସଭ୍ୟ ପ୍ରଦୀପ ଅମାତ, ରୋହିତ ପୂଜାରୀ, କିଶୋର ନାୟକ, ରମେଶ ସାଏ, ମହିଧର ରଣା ପ୍ରମୁଖ କେନ୍ଦୁପତ୍ର ତୋଳାଳିଙ୍କ ବିକାଶ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ ।