ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲିଥିବାବେଳେ ୭ ଲକ୍ଷ ଟଙ୍କାର ତାର ଚୋରି କରିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ,୧୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଓଡିଏସ୍‌ଏସ୍‌ପି-୪ ଯୋଜନାରେ ଗଣ୍ଡଳା ଗ୍ରାମରୁ ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ବିଦ୍ୟୁତତାର ସଂଯୋଗ କାର୍ଯ୍ୟ ଚାଲିଛି। ତେବେ ଏହି ନିର୍ମାଣାଧୀନ କାର୍ଯ୍ୟବେଳେ ଏହାର ପ୍ରାୟ ୩.୬ କିମି ଲମ୍ବ ତାରକୁ କେହି ଚୋରାଇ ନେଇଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟକୁ ନିର୍ମାଣ କରୁଥିବା ଲେସର ପାଓ୍ବାର ଆଣ୍ଡ୍‌ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଅଧିକାରୀ ଲକ୍ଷ୍ମୀଧର ଦାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ରାଜ୍ୟ ସରକାରଙ୍କର ଓଡିଏସ୍‌ଏସ୍‌ପି-୪ ଯୋଜନାରେ ଗଣ୍ଡଳା ଗ୍ରାମର ୩୩/୧୧ କେଭି ସବ୍‌ଷ୍ଟେଶନରୁ ଶାସନ ଆମ୍ବ ଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ବିଦ୍ୟୁତତାର ଟଣାଯାଇଥିଲା। ଗତ ୧୦ ତାରିଖରେ ନିମିଗାଁ ନିକଟରୁ ପ୍ରାୟ ୭ଶହ ମିଟର ତାର ଚୋରି ହୋଇଥିଲା। ପୁଣି ଥରେ ନିମେଶ୍ବର ମନ୍ଦିରଠାରୁ ଶାସନ ଆମ୍ବ ଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୨.୯ କିମି ବିଦ୍ୟୁତତାର ଚୋରି ହୋଇଛି। ଉକ୍ତ ତାର ଟଣା ଯାଇଥିଲେ ମଧ୍ୟ ବିଦ୍ୟୁତ ସରବରାହ ହୋଇ ନ ଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଏହି ତାରକୁ କାଟି ନେଇଛନ୍ତି। ଚୋରି ତାରର ମୂଲ୍ୟ ୭ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟ ହେବ ବୋଲି ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ ୯୩୬/୨୪ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Share