ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ୭ ମୌଜାବାସୀ

ଛେଣ୍ଡିପଦା,୨୬।୪ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ କରିବା ଦାବି ନେଇ ମଙ୍ଗଳବାର ୭ ମୌଜାବାସୀ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ସରକାର ଉକ୍ତ ଦାବିପତ୍ରର ଉତ୍ତର ଦେବା ପର୍ଯ୍ୟନ୍ତ ଅର୍ଥନୈତିକ ଆନ୍ଦୋଳନକୁ ସ୍ଥଗିତ ରଖାଯିବ। ହେଲେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପୂର୍ବପରି ଜାରି ରହିବ ବୋଲି ୭ ମୌଜାବାସୀଙ୍କ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବା ଦାବିରେ ୬ ଦିନ ହେଲା ୭ ମୌଜାବାସୀଙ୍କ ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ମଙ୍ଗଳବାରଠାରୁ ଛେଣ୍ଡିପଦାରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା। ହେଲେ ସନ୍ଧ୍ୟାରେ ଅନୁଗୋଳ ଉପଜିଲାପାଳ ବୈତୁରା ଦୀପ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏ ନେଇ ତ୍ରିପାକ୍ଷିକ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଅର୍ଥନୈତିକ ଅବରୋଧ ନ କରିବାକୁ ଅନୁରୋଧ କରିଥିଲେ। ତଦନୁଯାୟୀ ଗ୍ରାମବାସୀ ଅର୍ଥନୈତିକ ଅବରୋଧକୁ ସ୍ଥଗିତ ରଖିଥିଲେ। ମଙ୍ଗଳବାର ଆନ୍ଦୋଳନକାରୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ କର୍ମକର୍ତ୍ତା ଜିଳପାଳଙ୍କ ପ୍ରକୋଷ୍ଠରେ ପହଞ୍ଚି ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନକାରୀଙ୍କ ଦାବିକୁ ଜିଲାପାଳ ସରକାରଙ୍କକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଜିଲାପାଳ ସରକାରଙ୍କୁ ପଠାଇଥିବା ଚିଠିର ଉତ୍ତର ପାଇଲା ପରେ ଗ୍ରାମବାସୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି। କିନ୍ତୁ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ଗ୍ରାମବାସୀ ପ୍ରକାଶ କରିଛନ୍ତି।