Categories: ଜାତୀୟ

ଋଣ ଭାର ହେଲା ଅସହ୍ୟ, ଜୀବନ ହାରିଲେ ଗୋଟିଏ ପରିବାର ୩ ଶିଶୁ ସମେତ ୭ ସଦସ୍ୟ

ସୁରଟ,୨୮/୧୦: ଶନିବାର ଗୁଜରାଟର ସୁରଟ ଅଞ୍ଚଳରେ ଋଣ ଭାରରେ ଆତ୍ମହତ୍ୟା ଜନିତ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରର ତିନି ଶିଶୁ ସମେତ ସାତ ଜଣ ଆତ୍ମହତ୍ୟା କରିଛନ୍ତି, ଆଉ ଚିଠିରେ କହି ଯାଇଛନ୍ତି ମୃତ୍ୟୁର କାରଣ। ପରିବାର ସଦସ୍ୟ ବିପୁଳ ମାତ୍ରାରେ ଟଙ୍କା ଋଣ ଆଣିଥିଲେ, ଯାହାକୁ ପରେ ସେମାନେ ପରିଶୋଧ କରି ନ ପାରିବାରୁ ଏହି ଚରମ ନିଷ୍ପତି ନେଇଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି।

ପୋଲିସ ସୂଚନା ଅନୁଯାୟୀ ୬ ଜଣଙ୍କର ମୃତ୍ୟୁ ବିଷ ଖାଇ ହୋଇଥିବା ବେଳେ ଜଣେ ଫାସୀ ଦେଇଥିଲେ। ସ୍ଥାନୀୟ ଡିସିପି ଆର. ପି. ବାରୋତଙ୍କ କହିବା ଅନୁସାରେ ବ୍ୟକ୍ତି ସ୍ୱାମୀ, ସ୍ତ୍ରୀ, ସେମାନଙ୍କ ବୟସ୍କ ବାପା-ମା’ ଏବଂ ୬ ବର୍ଷୀୟ ପୁଅ ଓ ୧୦ ଏବଂ ୧୩ ବର୍ଷୀୟ ଦୁଇ ଝିଅ ମୃତ ଅବସ୍ଥାରେ ସିଦ୍ଧେସ୍ୱର ଆପାର୍ଟମେଣ୍ଟର ଏକ ବନ୍ଦ ଘରୁ ଉଦ୍ଧାର ହୋଇଛନ୍ତି।

ମୃତକଙ୍କ ନାମ ହେଉଛି କାନୁଭାଇ ସୋଲଙ୍କି, ତାଙ୍କ ପତ୍ନୀ ଶୋବାବେନ, ପୁଅ ମନୀଷ, ପତ୍ନୀ ରୀତା ଏବଂ ସେମାନଙ୍କର ତିନି ସନ୍ତାନ ବୋଲି ଜଣାପଡିଛି। ଏକ ଠିକାଦାର ଭାବରେ କାର୍ୟ୍ୟ କରୁଥିବା ମନୀଷ ଛାତରେ ଲାଗିଥିବା ପଙ୍ଖାରେ ଝୁଲିଥିବା ବେଳେ ଅନ୍ୟ ୬ ଜଣଙ୍କ ମୃତ ଦେହ ତଳେ ପଡିଥିଲା।

Share