ହାତକଡ଼ି ଲଗାଇ ୭ ମାଇଲ ପହଁରି ରେକର୍ଡ

କାଇରୋ, ୬ା୪: ବିନା ହାତ ଚାଳନାରେ ପାଣିରେ ପହଁରିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଏହାକୁ ସମ୍ଭବ କରିବା ସହ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ନିଜକୁ ସାମିଲ କରିଛନ୍ତି ଇଜିପ୍ଟର ଶେହାବ ଆଲମ। ସେ ହାତରେ ହାତକଡ଼ି ଲଗାଇ ଗୋଟିଏ କିମ୍ବା ଦୁଇ କିଲୋମିଟର ନୁହେଁ, ବରଂ ୭ ମାଇଲ୍‌ (ପାଖାପାଖି ୧୧ କିଲୋମିଟର) ବାଟ ପହଁରି ରେକର୍ଡ ସୃଷ୍ଟି କରିଛନ୍ତି।

ଆବିଆନ୍‌ ଗଲ୍ଫରେ ଦୁଇ ହାତରେ ହାତକଡ଼ି ଲଗାଇ ଶେହାବ ୬ ଘଣ୍ଟାରେ ୭.୨୩୮ ମାଇଲ୍‌ ଦୂର ପହଁରିଥିବାବେଳେ ତାଙ୍କୁ କୌଣସି ପ୍ରକାର ବୋଟ୍‌ର ସପୋର୍ଟ ମିଳି ନ ଥିଲା। ଏ ନେଇ ବହୁଦିନ ପୂର୍ବରୁ ଶେହାବ ଅଭ୍ୟାସ ଆରମ୍ଭ କରିଥିଲେ। ପ୍ରତିଦିନ ହାତକଡ଼ି ବାନ୍ଧି ସମୁଦ୍ରରେ କିଛି ଦୂର ପର୍ଯ୍ୟନ୍ତ ସେ ପହଁରିବା ଅଭ୍ୟାସ କରୁଥିବା କହିଛନ୍ତି। କାହାରି ଦୃଷ୍ଟି ଆକର୍ଷଣ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ଅଭ୍ୟାସ ସମୟରେ ବେଳାଭୂମିରେ ବୁଲୁଥିବା ଲୋକେ ତାଙ୍କୁ କୌତୂହଳର ସହ ଦେଖୁଥିବା ସେ କହିଛନ୍ତି। ହାତକଡ଼ି ବାନ୍ଧି ପହଁରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିବା ପରେ ସେ ସୁପର୍‌ ହିରୋ ଭଳି ଅନୁଭବ କରିଥିବା କହିଛନ୍ତି। ଶେହାବ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜ ରେକର୍ଡକୁ ଜାରି ରଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସାର୍ଟିଫିକେଟ୍‌ ହାତକୁ ନ ଆସିବା ପର୍ଯ୍ୟନ୍ତ ତାଙ୍କ ମିଶନ୍‌ ସଫଳ ହୋଇ ନାହିଁ। ଶେହାବଙ୍କ ମତରେ ପୂର୍ବରୁ ସେ ଯେଉଁସବୁ ରେକର୍ଡ ହାସଲ କରିଛନ୍ତି, ସେସବୁ ସେତିକି ଖୁସି ଦେଇନାହିଁ ଯେତିକି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ ଦେଇଛି। ଶେହାବ ଅନେକ ଯୁବପିଢ଼ିଙ୍କ ପାଇଁ ଏକ ନୂଆ ଆଶା ଏବଂ ଉତ୍ସାହର ମାଧ୍ୟମ ପାଲଟିଛନ୍ତି। ଖାଲି ସେତିକି ନୁହେଁ, ସନ୍ତରଣକୁ ନେଇ ତାଙ୍କ ମଧ୍ୟରେ ଥିବା କଳା ଓ କୌଶଳ ଦୀର୍ଘସ୍ଥାୟୀ ହେବା ସହ ସେ ନିଜ ରେକର୍ଡକୁ ବଜାୟ ରଖିବେ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ ପକ୍ଷରୁ କୁହାଯାଇଛି।

Share