Categories: ଜାତୀୟ

ମୋଦି ସରକାରରେ ୧୦ରୁ ୭ ମନ୍ତ୍ରୀ ଆରଏସ୍‌ଏସ୍‌ର: ଚାଞ୍ଚଲ୍ୟକର ଖୁଲାସା କଲେ ଟିଏମସି ନେତା

ନୂଆଦିଲ୍ଲୀ,୨।୮: ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗୃହରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ)କୁ ପ୍ରଶଂସା କରିଥିଲେ। କଂଗ୍ରେସ ସମେତ ଅନେକ ଦଳ ଏ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି। ଚେୟାରମ୍ୟାନ ଦେଇଥିବା ପ୍ରଶଂସା ପରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଡେରେକ ଓ’ବ୍ରାଇନ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ୧୦ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ମନ୍ତ୍ରୀ ଆରଏସଏସରୁ ଆସିଛନ୍ତି। ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ମଧ୍ୟ ସେ ସମାନ କଥା କହିଛନ୍ତି।
ଡେରେକ ଓ’ବ୍ରାଇନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୁତ୍ୱ ସଂଗଠନର ଦ୍ୱିତୀୟ ସରସଙ୍ଗଚାଳକ ଏମ.ଏସ ଗୋଲୱାଲକରଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ଟିଏମସି ନେତା ଏକ୍ସରେ ଲିଖିତ ଏକ ଆର୍ଟିକିଲ ଶେୟାର କରିଛନ୍ତି। ସେ କଂଗ୍ରେସ ନେତା ଜୟରାମ ରମେଶଙ୍କ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ଆରଏସଏସକୁ ସମାଲୋଚନା କରିଛନ୍ତି।
ଓ’ବ୍ରାଇନ ତାଙ୍କ ବ୍ୟକ୍ତିଗତ ବ୍ଲଗରେ ଶେୟାର ହୋଇଥିବା ଏକ ଆର୍ଟିକିଲରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଥିବା ୧୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ସଂଘ ପରିବାରରୁ ଆସିଛନ୍ତି, ୧୦ ଜଣ ରାଜ୍ୟପାଳଙ୍କ ମଧ୍ୟରୁ ଚାରିଜଣ ହେଉଛନ୍ତି ଆରଏସଏସ। ୧୨ ଜଣ ଭାଜପା ଶାସିତ ଆଠଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସ୍ବୟଂସେବକ ଅଟନ୍ତି। ସୈନିକ ସ୍କୁଲ ଚଳାଇବା ପାଇଁ ୧୦ଟି ଚୁକ୍ତି ମଧ୍ୟରୁ ୬ଟି ଆରଏସଏସ ସମର୍ଥକ କିମ୍ବା ଅନୁବନ୍ଧିତ ସଂଗଠନକୁ ଦିଆଯାଇଛି।

Share