ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗର ୭ଟି ସ୍ଥାନରେ ଥିବା ପାନ୍ଥନିବାସ, ଯାତ୍ରୀ ନିବାସ ଗୁଡିକୁ ଘରୋଇ ସଂସ୍ଥାକୁ ଲିଜରେ ଦେବାକୁ ନିଷ୍ପତ୍ତି ନେଇଛି। ସେଗୁଡିକ ହେଲା ସାତପଡାରେ ଥିବା ଯାତ୍ରୀ ନିବାସ, ଝାସୁଗୁଡାର ଟିଆରସି, ପଞ୍ଚଲିଙ୍ଗେଶ୍ୱର ପାନ୍ଥନିବାସ, କୋଣାର୍କ ଯାତ୍ରୀ ନିବାସ, ଦାରିଙ୍ଗିବାଡି ଟୁରିଷ୍ଟ କମ୍ପ୍ଲେକ୍ସ, ପାରଳାଖେମୁଣ୍ଡିର ବିଏନ କମ୍ପ୍ଲେକ୍ସ ଏବଂ ଧଉଳି ପାନ୍ଥିକା। ଏସବୁ ପର୍ଯ୍ୟଟନ ବିଭାଗ ସମ୍ପତ୍ତିର ରକ୍ଷଣାବେକ୍ଷଣ, ପରିଚାଳନା ଓ ବିକାଶ ପାଇଁ ସରକାରୀ ଘରୋଇ ଭାଗିଦାଦୀ(ପିପିପି) ମୋଡରେ ପ୍ରଦାନ କରାଯିବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ନିକଟରେ ଏ ନେଇ ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପାଇଥିବା ସଂସ୍ଥାକୁ ଏସବୁକୁ ୩୦ ବର୍ଷ ଲାଗି ଲିଜ୍ ପ୍ରଦାନ କରାଯିବ। ପାନ୍ଥିକା ଓ ପାନ୍ଥନିବାସଗୁଡିକୁ ଲିଜ ଦେବା ପରେ ସେଗୁଡିକର ପୁନଃ ନବୀକରଣ, ପରିଚାଳନା, ରକ୍ଷଣାବେକ୍ଷଣ ଆଦି ଲିଜ ନେଇଥିବା ସଂସ୍ଥା କରିବେ। ପ୍ରଥମ ବର୍ଷ ସମ୍ପୃକ୍ତ ସଂସ୍ଥା ଚୁକ୍ତି କରିବା ବେଳେ ଭଡ଼ା ଦେବେ। ପରବର୍ତ୍ତୀ ବର୍ଷ ଆରମ୍ଭର ୭ଦିନ ମଧ୍ୟରେ ବାର୍ଷିକ ଅର୍ଥ ପ୍ରଦାନ କରିବେ।