ନେପାଳରେ ୧୨ ବର୍ଷରେ ୭ ବିମାନ ଦୁର୍ଘଟଣା, ୧୬୬ ଜଣଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୯।୫ : ଦେଶରେ ନେପାଳର ତାରା ଏୟାରଲାଇନ୍ସର ବିମାନ ୯-ଏନଏଇଟି ସହିତ ଯୋଗାଯୋଗ ସମ୍ପର୍କ ଛିନ୍ନ ହୋଇଛି। ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନରେ ୨୨ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ ନାଗରିକ ମଧ୍ୟ ଥିଲେ। ବିମାନଟି ନିଖୋଜ ହେବା ସହିତ କିଛି ଅଘଟଣର ଆଶଙ୍କା ଦେଖାଦେଇଛି।

କିନ୍ତୁ ନେପାଳରେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ନେପାଳରେ ବହୁ ବିମାନ ଦୁର୍ଘଟଣା ଘଟିଛି। ନେପାଳ, ପାର୍ବତ୍ୟ ଦେଶ ହୋଇଥିବାରୁ ବିମାନ ଦୁର୍ଘଟଣା ହେବା ସ୍ବାଭାବିକ। ୨୦୧୦ ପରଠାରୁ ଗତ ୧୨ ବର୍ଷରେ ଏଠାରେ ସାତୋଟି ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୋଟ ୧୬୬ ଜଣଙ୍କର ମୃତ୍ୟୁ ଘଟିଛି।

ନେପାଳର ଖରାପ ପାଗ ଏବଂ ପର୍ବତ ମଧ୍ୟରେ ନିର୍ମିତ କଠିନ ଏୟାରଷ୍ଟ୍ରିପ ଏହି ଦୁର୍ଘଟଣାଗୁଡ଼ିକର ଏକ ପ୍ରମୁଖ କାରଣ।

୨୦୧୮ରେ ୟୁଏଦ୍‌-ବାଂଲା ଏୟାର ଲାଇନ୍ସର ବିମାନ-୨୧୧ ଦୁର୍ଘଟଣା ଘଟିଥିଲା। ବିମାନଟି ଢ଼ାକା ଠାରୁ କାଠମାଣ୍ଡୁ ଯାଉଥିଲା। ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନରେ ୭୧ ଜଣ ଲୋକ ଥିଲେ।

୨୪ ଫେବୃଆରୀ ୨୦୧୬ରେ ତାରା ଏୟାର ଫ୍ଲାଇଟ-୧୯୩ ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନଟି ପୋଖରା ଠାରୁ ଜୋମସମ ଅଭିମୁଖେ ଯାଉଥିଲା। ଉଡ଼ାଣର ଆଠ ମିନିଟ ପରେ ଏହା ନିଖୋଜ ହୋଇଯାଇଥିଲା। ଏହା ପରେ ଏକ ଗାଁ ନିକଟରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା।

୨୦୧୨ରେ ସୀତା ଏୟାର ଫ୍ଲାଇଟ-୬୦୧ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନଟି କାଠମାଣ୍ଡୁରୁ ଉଡ଼ାଣ କରିଥିଲା। ଯାନ୍ତ୍ରିକ ସମସ୍ୟା ଯୋଗୁ ଏହା ଜରୁରୀକାଳୀନ ଅବତରଣ କରିଥିଲା। ଏହି ଦୁର୍ଘଟଣା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

୨୦୧୨ରେ ଅଗ୍ନି ଏୟାର ଡୋର୍ନିଅର୍‌-୨୨୮ ବିମାନ ପୋଖରା ଠାରୁ ଜୋମସମ ଅଭିମୁଖେ ଯାତ୍ରା କରିଥିଲା। ବିମାନଟି ଜୋମସମ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୧ ଜଣ ଲୋକ ଥିଲେ । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

୨୫ ସେପ୍ଟେମ୍ବର ୨୦୧୧ରେ ବୁଦ୍ଧ ଏୟାର ଫ୍ଲାଇଟ-୧୦୩ ଦୁର୍ଘଟଣାରେ ୧୦ ଜଣ ଭାରତୀୟ ନାଗରିକଙ୍କ ସମେତ ବିମାନରେ ଥିବା ସମସ୍ତ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା।

୧୫ ଡିସେମ୍ବର ୨୦୧୦ରେ ତାରା ଏୟାର ଟୁଇନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ୨୨ ଜଣଙ୍କ ସମେତ ତିନିଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।

୨୦୧୦ ଅଗ୍ନି ଏୟାର ଫ୍ଲାଇଟ-୧୦୧ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନ ଉଡ଼ାଣର ୨୨ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା।

 

Share