Categories: ଜାତୀୟ

ଆଜି ଫେରିବ ୭ ବିମାନ

ନୂଆଦିଲ୍ଲୀ,୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଆଉ ଜଣେ ହେଲେ ଭାରତୀୟ ନାହାନ୍ତି। ସମସ୍ତ ନାଗରିକ କ୍ୱିଭ୍‌ ଛାଡ଼ିଥିବା ଭାରତର ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମଙ୍ଗଳବାର ସୂଚନା ଦେଇଛନ୍ତି।
ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କରି ଆଣିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ହର୍ଷବଦ୍ଧନ ଉପରୋକ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରୋମାନିଆର ବୁଚାରେଷ୍ଟ, ହଙ୍ଗେରିର ବୁଦାପେଷ୍ଟ, ପୋଲାଣ୍ଡ ଏବଂ ସ୍ଲୋଭାକିଆର ବିମାନବନ୍ଦରଗୁଡ଼ିକରୁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି। କ୍ୱିଭ୍‌ସ୍ଥିତ ଭାରତୀୟ ଦୂତାବାସକୁ ବନ୍ଦ କରାଯାଇଛି। ସେଠାରେ ନିୟୋଜିତ କର୍ମଚାରୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ‘ମିଶନ ଗଙ୍ଗା’ ଯୋଜନା ଅଧୀନରେ ୪୬ ବିମାନ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ସେଥିରୁ ୨୯ ବିମାନ ବୁଚାରେଷ୍ଟ, ୧୦ ବୁଦାପେଷ୍ଟ, ୬ ପୋଲାଣ୍ଡର ରେସ୍‌ଜୋ, ୧ ସ୍ଲୋଭାକିଆର କୋସିଜ୍‌ରୁ ଉଡ଼ାଣ କରି ନୂଆଦିଲ୍ଲୀକୁ ଆସିବ। ଭାରତୀୟ ବାୟୁସେନା ମଧ୍ୟ ବୁଚାରେଷ୍ଟରୁ ନାଗରିକଙ୍କୁ ଉଦ୍ଧାର କରି ଆଣିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଆଡ୍‌ଭାଇଜରି ଜାରି କରାଯିବାବେଳେ ୟୁକ୍ରେନ୍‌ରେ ପ୍ରାୟ ୨୦,୦୦୦ ଭାରତୀୟ ଛାତ୍ରୀଛାତ୍ର ଫସିରହିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୬୦% ଅର୍ଥାତ୍‌ ୧୨,୦୦୦ ୟୁକ୍ରେନ୍‌ ଛାଡ଼ି ସାରିଲେଣି। ଅବଶିଷ୍ଟ ୪୦% ମଧ୍ୟରୁ ଅଧା ଖର୍କିଭ୍‌ର ସୁମି ଅଞ୍ଚଳରେ ଅଛନ୍ତି। ଅବଶିଷ୍ଟ ଅଧା ଛାତ୍ରୀଛାତ୍ର ୟୁକ୍ରେନ୍‌ର ପଶ୍ଚିମ ସୀମାରେ ଅଛନ୍ତି। ସେମାନେ ଯୁଦ୍ଧ ପ୍ରଭାବିତ ଅଞ୍ଚଳ ବାହାରେ ରହିଛନ୍ତି ବୋଲି ଶ୍ରୀଙ୍ଗଲା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୯ ବିମାନ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଆଣିଥିବାବେଳେ ‘ଅପରେଶନ୍‌ ଗଙ୍ଗା’ରେ ବୁଧବାର ସନ୍ଧ୍ୟାରେ ଆଉ ୭ଟି ବିମାନ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବ।

Share