୭ ଡକାୟତି ମାମଲାର ପର୍ଦ୍ଦାଫାଶ: ଧରାପଡ଼ିଲେ ୩ ଅଭିଯୁକ୍ତ

ରାୟଗଡ଼ା,୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ପୋଲିସ ୭ଟି ଡକାୟତି ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୨ ଗ୍ରାମ ସୁନା, ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ପଲସର୍‌ ଗାଡ଼ି ଜବତ କରିଛି। ଜବତ ସୁନା ମଧ୍ୟରେ ୬ଟି ସୁନା ଖଣ୍ଡ, ୨ଟି ସୁନା ଚେନ ଏବଂ ଗୋଟିଏ ମଙ୍ଗଳସୂତ୍ର ରହିଛି। ଏନେଇ ଜିଲା ପୋଲିସ କାର୍ଯ୍ୟାଳୟରେ ଏସ୍‌ପି ହରିଶ ବିସି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗିରଫ ୩ଜଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟର ମାନ୍ୟମ୍‌ପାର୍ବତିପୁରମ ଜିଲାର ମିନକା ସୂର୍ଯ୍ୟ କୁମାର, ବିଶାଖାପାଟଣା ଜିଲାର ପି ଚନ୍ଦ୍ରଶେଖର ଏବଂ ରାୟଗଡ଼ା ଜିଲା ସଦର ମହକୁମାର ତୁମ୍ବିଗୁଡ଼ା ଗ୍ରାମର ସିଦ୍ଧୁ ମେଲକା ।

ମିଳିଥିବା ସୂଚନା ମୁତାବକ, ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରୁ ପାର୍ବତୀପୁରମ ରାସ୍ତାରେ ପ୍ରତିଦିନ ମୋଟରସାଇକେଲ ଏବଂ ସ୍କୁଟିରେ ଯାତାୟାତ କରୁଥିବା ମହିଳାମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ କରି ବେକରୁ ସୁନା ଚେନ ଟାଣି ଛିନତାଇ କରୁଥିଲେ।

ବିଶେଷ କରି ଆନ୍ଧ୍ରପ୍ରଦେଶ ରାଜ୍ୟରୁ ରାୟଗଡ଼ା ସହର ସ୍ଥିତ ମଝିଘରିଆଣୀ ମନ୍ଦିର ଓ ଝୁଲା ପୋଲ ବୁଲିବାକୁ ଆସୁଥିବା ଯାତ୍ରୀମାନଙ୍କୁ ଟାର୍ଗେଟ କରୁଥିଲେ ଦୃର୍ବୁତ୍ତ। ବାରମ୍ବାର ଏହିଭଳି ଡକାୟତି, ଛିନତାଇ ହେଉଥିଲେ ମଧ୍ୟ ଏନେଇ ପୋଲିସ କୌଣସି ଟେର ପାଇପାରୁ ନ ଥିଲା। ତେବେ ଶେଷଖାଲ ଥାନାରେ ହୋଇଥିବା ୭ଟି ଅଭିଯୋଗକୁ ଭିତ୍ତି କରି ଶେଷଖାଲ ଥାନା ଆଇଆଇସି ମୁନି ଆଚାର୍ଯ୍ୟଙ୍କ ନେତୃତ୍ୱରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

Share