ଛତୁ ଖାଇ ୭ ଅସୁସ୍ଥ

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ୭ନଂ ଓ୍ବାର୍ଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ମଳିକ ନାୟକ, ପମି ନାୟକ, ଅଜିତ ନାୟକ, ମାନସ ନାୟକ, ମନ ନାୟକ, ଶ୍ରୀୟା ନାୟକ, ଓ ଯାକବ ନାୟକ ପ୍ରଥମେ ଛତୁ ଖାଇବା ପରେ ମୁଣ୍ଡ ଝିମ୍‌ଝିମ୍‌ ହେବା ସହ ମୁଣ୍ଡ ଓ ପେଟ ବ୍ୟଥା ହେବାରୁ ମେଡ଼ିକାଲକୁ ଆସିଥିଲେ। ସେମାନଙ୍କୁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ଅନ୍ନପୂର୍ଣ୍ଣା ସାହୁ, ଡା. ରାମ ପାତ୍ର, ଡା.ବିଶାଲ ବାବୁଙ୍କ ଚିକିତ୍ସା ପରେ ସାଲାଇନ ଓ ଇଞ୍ଜେକ୍‌ସନ ଦେବା ସହ ଗୁରୁତର ହେବାରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ଛତୁ ଖାଇ ଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ବର୍ଷା ଯୋଗୁ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଜଙ୍ଗଲୀ ଛତୁ ଫୁଟୁଥିବା ବେଳେ ଲୋକେ ସଂଗ୍ରହ କରି ନିଜେ ଖାଇବା ସହ ବଜାରରେ ବିକ୍ରି କରୁଛନ୍ତି।