କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଜିଲାର ଶୀତଳ ଓ ପ୍ରାକୃତିକ ପରିବେଶ ସାଙ୍ଗକୁ ବଣପାହାଡ଼, ଝରଣା, ନଦୀ, ଘାଟି ରାସ୍ତା ଅଗଣିତ ପ୍ରାକୃତିକ ଜଳପ୍ରପାତ, ଡ୍ୟାମ୍ ତଥା ମନ୍ଦିର, ମଠ ଆଦି ଧାର୍ମିକ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଓ ବିମୋହିତ କରିଥାଏ। ତେବେ ସେଥିମଧ୍ୟରୁ ୧୬ଟି କେନ୍ଦ୍ରକୁ ପର୍ଯ୍ୟଟନ ବିଭାଗର ମାନ୍ୟତା ମିଳିଥିବା ବେଳେ ଏବେ ଆଉ ୭ଟିର ମାନ୍ୟତା ମିଳିଛି। ଫଳରେ ଏହାକୁ ମିଶାଇ ଜିଲା ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନ କେନ୍ଦ୍ରଗୁଡିକର ସଂଖ୍ୟା ୨୩ରେ ପହଞ୍ଚିଛିା
ନୂତନ ଭାବରେ ମାନ୍ୟତା ମିଳିଥିବା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ହେଲା ତେଲକୋଇ ବ୍ଲକର ଟେଣ୍ଟେଇନାଳି ଜଳପ୍ରପାତ, ବାଂଶପାଳ ବ୍ଲକର ଗିରଡ଼ିବନ୍ଧ ଜଳପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳପ୍ରପାତ, ଘଟଗାଁ ବ୍ଲକର କାଇଁଝର ଜଳପ୍ରପାତ ଓ ବାରହାଟିପୁରା ଶୈବପୀଠ, ଆନନ୍ଦପୁର ବ୍ଲକର ବୈତରଣୀ ନଦୀକୂଳ ଦୃଶ୍ୟମୟ ଦରଗଡ଼ିଶିଳା ଓ ପାଟଣା ବ୍ଲକର ଡାବରଚୁଆ ଡ୍ୟାମ୍ ରହିଛି।
ପୂର୍ବରୁ ଜିଲାର ବାଂଶପାଳ ବ୍ଲକତରେ ଅବସ୍ଥିତ ସାନଘାଗରା, ବଡଘାଗରା ଓ ଖଣ୍ଡାଧାର ଜଳପ୍ରପାତ, ବୈତରଣୀ ନଦୀ କୂଳରେ ଅବସ୍ଥିତ ଚମ୍ପୁଆ ବ୍ଲକର କେଶରୀକୁଣ୍ଡ, ଘଟଗାଁ ବ୍ଲକର ଗୁଣ୍ଡିଚାଘାଗୀ ଜଳପ୍ରପାତ, ଯୋଡ଼ା ବ୍ଲକର ହାଣ୍ଡିଭଙ୍ଗା ଜଳପ୍ରପାତ ଓ ମୁର୍ଗାମହାଦେବ ମନ୍ଦିର ଓ ଜଳପ୍ରପାତ, ପ୍ରାକୃତିକ ସୌନ୍ଦର୍ଯ୍ୟମୟ କାଞ୍ଜିପାଣି ଘାଟି, ଘଟଗାଁ ମା’ ତାରିଣୀ ପୀଠ ଓ ଐତିହାସିକ ଓ ପୌରାଣିକ ଇତିବୃତି ସମୃଦ୍ଧ ସୀତାବିଞ୍ଝ, ବାଂଶପାଳ ବ୍ଲକର ଗୋନସିକାସ୍ଥିତ ବୈତରଣୀ ନଦୀର ଉପତ୍ତି ସ୍ଥଳୀ ନିକଟ ବ୍ରହ୍ମେଶ୍ୱର ମହେଶ ମନ୍ଦିର, ଘଷିପୁରା ବ୍ଲକ ଦେଓଗାଁସ୍ଥିତ କୁଶଳେଶ୍ୱର ମହାଦେବ ମନ୍ଦିର, ହାଟଡିହି ବ୍ଲକର ଚକ୍ରତୀର୍ଥ ଶକ୍ତିପୀଠ ଓ ହଦଗଡ ଡ୍ୟାମ୍, ପାଟଣା ବ୍ଲକ ବୈତରଣୀ ନଦୀ କୂଳରେ ଅବସ୍ଥିତ ରଘୁନାଥଜୀଉ ମନ୍ଦିର ଓ ଭୀମକୁଣ୍ଡ ଜଳପ୍ରପାତ ଆଦିର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି।