Categories: ଜାତୀୟ

ଭ୍ୟାନ୍‌ ମାଡ଼ିଯାଇ ୭ ମହିଳା ମୃତ

ତିରୁପାଟ୍ଟୁର,୧୨ା୯: ତାମିଲନାଡୁର ତିରୁପାଟ୍ଟୁର ଜିଲା ଅନ୍ତର୍ଗତ ନାତ୍ରାମପାଲ୍ଲୀ ନିକଟରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୭ ମହିଳାଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଗତ ୮ ତାରିଖରେ ଜିଲାର ଅମ୍ବୁର ନିକଟବର୍ତ୍ତୀ ଏକ ଗ୍ରାମରୁ ୪୫ ଜଣ ଦୁଇଟି ଭ୍ୟାନ୍‌ରେ ବେଙ୍ଗାଲୁରୁ ବୁଲିଯାଇଥିଲେ। ସୋମବାର ସକାଳେ ସେମାନେ ଘରକୁ ଫେରୁଥିବାବେଳେ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥର ସାଣ୍ଡିଉର ଛକରେ ଗୋଟିଏ ଭ୍ୟାନ୍‌ର ଟାୟାର ଫାଟିଯିବାରୁ ଡ୍ରାଇଭର ଗାଡ଼ି ଅଟକାଇ ଟାୟାର ବଦଳାଉଥିଲା। ଏହି ସମୟରେ ଯାତ୍ରୀମାନେ ଓହ୍ଲାଇ ଭ୍ୟାନ ଆଗରେ ରାସ୍ତାରେ ବସିଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଫଳରେ ଭ୍ୟାନ୍‌ ଆଗରେ ବସିଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ୭ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଲରି ଡ୍ରାଇଭର ଓ କ୍ଲିନରଙ୍କ ସମେତ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Share