ମାତିଛି ମଣିଷ ଖିଆ ବାଘ, ୭ ବର୍ଷର ଶିଶୁଙ୍କୁ ଖାଇଗଲା

ନୂଆପଡ଼ା,୩୧।୧୦(ମକାରୁ ବେମାଲ): ନୂଆପଡା ଜିଲାରେ କିଛି ମାସ ବ୍ୟବଧାନ ପରେ ପୁଣି ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗାଁର ଗୌଧସ ପଡ଼ାରେ ବାଘ ଆତଙ୍କ ଦେଖାଦେଇଛି।  ଧରମବନ୍ଧା ଥାନା କଟିଙ୍ଗପାଣି ଗ୍ରାମର ଗୌଧସ ପଡାର ଜଣେ ୭ ବର୍ଷର ଶିଶୁକୁ ବାଘ ଖାଇଥିବା ପରିବାର ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକ ହେଲେ ଗୌଧସ ପଡାର ହୁମନ ଧରୁଆଙ୍କ ପୁଅ ଡମ୍ବୁର (୭)। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏପରିକି ଏକ ଗାଈକୁ ମଧ୍ୟ ବାଘ ଆକ୍ରମଣ କରି ଶିକାର କରିଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁସାରେ, ସାରେ ଡମ୍ବୁର ନିଜ ଘର ସମ୍ମୁଖରେ ଖେଳୁଥିଲେ। ଏହି ସମୟରେ ହଠାତ ଦୁଇଟି ବାଘ ପାଖ ଜଙ୍ଗଲରୁ ଆସି ଡମ୍ବୁରୁଙ୍କୁ ଝାମ୍ପି ନେଉଥିଲା। ଏହା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ହୋହଲା କରି ହାତରେ ଠେଙ୍ଗା, ବାଡ଼ି, କୁରାଡ଼ି ଓ ମାରଣାସ୍ତ୍ର ଧରି ବାଘକୁ ଜଙ୍ଗଲକୁ ଘଉଡାଇ ଶିଶୁକୁ ଉଦ୍ଧାର କରିଥିଲେ। ହେଲେ ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ଘଟିଥିଲା। ଏବେ ବାଘ ଆତଙ୍କରେ ଲୋକେ ଭୟଭୀତ ହୋଇ ତାଟିକବାଟ ବନ୍ଦ କରି ଆତଙ୍କିତ ଅବସ୍ଥାରେ ଅଛନ୍ତି। ମୃତଦେହ ଆମ୍ବୁଲାନ୍ସ ଜରିଆରେ ନୂଆପଡା ହସ୍ପିଟାଲକୁ ଅଣାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୦ରେ କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗାଁର ବୃଦ୍ଧା ସାନମତି ବାରିକ (୬୮)ଙ୍କୁ ବାଘ ଜଙ୍ଗଲକୁ ଟେକି ନେଇ ଖାଇଥିଲା।

Share