ଡକାୟତି ଘଟଣାରେ ଦୋଷୀଙ୍କୁ ୭ ବର୍ଷ କାରାଦଣ୍ଡ

କେନ୍ଦୁଝର,୧୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳର ଏକ ଡକାୟତି ମାମଲାର ବିଚାର କରି କେନ୍ଦୁଝର ସିଜେଏମ ରଞ୍ଜୁଲତା ଲେଙ୍କା ଜଣେ ଦୋଷୀଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୪ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ଅକ୍ଟୋବର ୨୮ ରେ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଭିମଟାଙ୍ଗି ହାଉସିଂବୋର୍ଡ କଲୋଣୀର ସିଦ୍ଧାର୍ଥ ଶଙ୍କର ପଣ୍ଡା ତାଙ୍କର ଦୁଇ ବନ୍ଧୁ ଜିତେଶ ପ୍ରସାଦ ଓ ବିଶ୍ବନାଥ ପ୍ରତାପ ୨ ବାଇକରେ ଝାଡ଼ଖଣ୍ଡର ରାଞ୍ଜିକୁ ଯାଉଥିଲେ। ବାଟରେ ରେମାଳ ଡ୍ୟାମକୁ ଯାଇ ଫଟୋ ଉଠାଉଥିଲେ। ଏହି ସମୟରେ ୬ ଜଣ ପହଞ୍ଚତ୍ ପିସ୍ତଲ ଦେଖାଇ ଲୁଟିବାକୁ ଚେଷ୍ଟା କରିଥିଲେ। ସେମାନେ ବିରୋଧ କରିବାରୁ ଜଣେ ଡାକାୟତ ଜିତେଶଙ୍କ ପେଟକୁ ଗୁଳି କରିଥିଲେ। ବିଶ୍ବନାଥଙ୍କ ମୁଣ୍ଡକୁ ପିସ୍ତଲରେ ବାଡ଼େଇ ଦୁଇ ବାଇକ, ୪ ମୋବାଇଲ, ୩ ହେଲମେଣ୍ଟ, ୧୨ ହଜାର ୬ ଶହ ଟଙ୍କା ଲୁଟି ନେଇଥିଲେ। ହରିଚନ୍ଦନପୁର ଥାନାରେ ଅଭିଯୋଗ ପରେ ପୋଲିସ (ନଂ.୧୧୧/ ୧୬)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟ ଏକ କେସରେ ସଦର ଥାନା ପୁଲିସ ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଥିବା ନିଲୁ ବିରୁଆ (୩୦)ହରିଚନ୍ଦନପୁର ଘଟଣାରେ ଜଡ଼ିତ ଥିବା ପ୍ରକାଶ କରିଥିଲା। ପରେ ହରିଚନ୍ଦନପୁର ପୋଲିସ ଆଣି ପଚରାଉଚରା କରି ଘଟଣାରେ ଝାଡ଼ଖଣ୍ଡ ରାଜ୍ୟର ରୁପା ବରଜ, ଅଜୟ ହେମ୍ବ୍ରମ, ରବି ଗଡ଼ସେରା, ଗାନ୍ଧୀ ସୁଙ୍କୁ ଓ ଘସିପୁରା ଅଞ୍ଚଳର ଜଗବନ୍ଧୁ ପୃଷ୍ଟି ସାମିଲ ଥିବା ଜାଣିବାକୁ ପାଇଥିଲା। କୋର୍ଟ ୨୪ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉକ୍ତ ରାୟ ଦେଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପିପି ଅଶୋକ ଦାସ କହିଛନ୍ତି।

Share