୭ବର୍ଷ ବିତିଲା, ମିଳୁନି କୃଷିବୀମା ଟଙ୍କା

ଧାମନଗର, ୭ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ମାନଲାପୁର ଗ୍ରାମର ଚାଷୀ ନିରଞ୍ଜନ ଦାସ(୪୪)ଙ୍କ ମୃତ୍ୟୁକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପରିବାରକୁ ବୀମା ସହାୟତା ରାଶି ମିଳି ନାହିଁ। ବୀମା କମ୍ପାନୀର ବୈମାତୃକ ମନୋଭାବ ଯୋଗୁ ବୀମା ରାଶି ପାଇବାରୁ ତାଙ୍କ ପରିବାର ବଞ୍ଚତ୍ତ ହୋଇଛନ୍ତି। ଦୋବଲ ସମବାୟ ସମିତି, ବିବିସିସିବି (ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ) ଧାମନଗର ଶାଖା ପରିଚାଳକଙ୍କ ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ପରିବାର ଲୋକେ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ସହାୟତା ଲୋଡ଼ିଛନ୍ତି। ସ୍ବର୍ଗତ ନିରଞ୍ଜନଙ୍କ ଦୁଇଝିଅ ଶୁକ୍ରବାର ଏମ୍‌ପି ମଣ୍ଡଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଏମ୍‌ପି ବିବିସିସିବି ଧାମନଗର ଶାଖା ପରିଚାଳକ ମାନସ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ନିରଞ୍ଜନ ଆର୍ଥିକ ବର୍ଷ ୨୦୧୫-୧୬ରେ ଖରିଫ ଚାଷ ପାଇଁ ଦୋବଲ ସମିତିରୁ ଋଣ ନେବା ସହ ଉକ୍ତ ଋଣ ବାବଦରେ କୃଷିବୀମା (ପଲିସି ନଂ.୩୪୫୭୦୦/୪୮) ଅନୁଯାୟୀ ଧାର୍ଯ୍ୟ ଅର୍ଥ ସମିତି ମାଧ୍ୟମରେ ପୈଠ କରିଥିଲେ। ସେହିପରି ଏହି ସୋସାଇଟି ମାଧ୍ୟମରେ ସେ ବ୍ୟକ୍ତିଗତ ଅପମୃତ୍ୟୁଜନିତ ବୀମା କରିଥିଲେ। ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। ତାଙ୍କ ସ୍ତ୍ରୀ କଳ୍ପନା କହିଛନ୍ତି, ୨୦୧୬ ଫେବୃୟାରୀ ୨ ଅପରାହ୍ନରେ ହଠାତ୍‌ ଘୂର୍ଣ୍ଣିଝଡ଼ ଆସିବାରୁ ନିଜ ଖଳାରେ ଧାନଗଦାରେ ପଲିଥିନ ଘୋଡ଼ାଉଥିବା ବେଳେ ପାଖରେ ଥିବା ଏକ ନଡ଼ିଆ ଗଛ ଭାଙ୍ଗି ନିରଞ୍ଜନଙ୍କ ଉପରେ ପଡ଼ିଯାଇଥିଲା। ତାଙ୍କୁ ନିକଟସ୍ଥ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁର ସମସ୍ତ ଉପଯୁକ୍ତ ପ୍ରମାଣପତ୍ର ଦେବା ସହ ବାରମ୍ବାର ସମବାୟ ସମିତି ଓ ବ୍ୟାଙ୍କ ଯାଉଥିଲେ ମଧ୍ୟ ବୀମା ଅର୍ଥ ମିଳୁନାହିଁ। ଏ ସମ୍ପର୍କରେ ସମବାୟ ବ୍ୟାଙ୍କ ଧାମନଗର ଶାଖା ପରିଚାଳକ ମହାପାତ୍ର କହିଛନ୍ତି, ତୁରନ୍ତ ଏହି ବାବଦରେ ଇଫ୍‌କୋ ଟୋକିଓ ବୀମା କମ୍ପାନୀ ଏବଂ ସମବାୟ ବ୍ୟାଙ୍କ ବାଲଶ୍ୱର ଶାଖା ସହ ଯୋଗାଯୋଗ କରି ଉକ୍ତ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ।