ନାବାଳକଙ୍କର ୭୦ ସେମି ଲାଞ୍ଜ

କାଠମାଣ୍ଡୁ,୧୪।୪ : ନେପାଳର ଜଣେ ୧୬ ବର୍ଷୀୟ ବାଳକଙ୍କର ୭୦ ସେଣ୍ଟିମିଟର ଲମ୍ବର ଲାଞ୍ଜ ଦେଖିବାକୁ ମିଳିଛି। ଦେଶାନ୍ତ ଅଧିକାରୀ ନାମକ ଉକ୍ତ ନାବାଳକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚିକିତ୍ସା ବିଜ୍ଞାନରେ ଏଭଳି ବୈଚିତ୍ର୍ୟ ନୂଆ ନୁହେଁ। ମାଆବାପାଙ୍କ ଜିନ୍‌, ଭିନ୍ନ ଗୁଣସୂତ୍ର ଅସ୍ବାଭାବିକତା, ଗର୍ଭାବସ୍ଥାରେ ଶିଶୁର ବଢ଼ିବା ଉପରେ ପ୍ରତିବନ୍ଧକ ଆଦି କାରଣରୁ କେତେକଙ୍କ ଜନ୍ମ ସମୟରେ ଭିନ୍ନ ବୈଶିଷ୍ଟ୍ୟ ଦେଖାଯାଇଥାଏ। ନେପାଳର ଏହି ପିଲାଠାରେ ତାହା ହିଁ ହୋଇଛି। ହେଲେ ତାଙ୍କ ପରିବାର ପିଲାଟିକୁ ହନୁମାନଙ୍କ ଅବତାର ବୋଲି ବିଶ୍ୱାସ କରୁଛନ୍ତି। ଜନ୍ମ ସମୟରେ ଦେଶାନ୍ତଙ୍କ ମେରୁଦଣ୍ଡର ତଳଭାଗରେ ଚୁଟି ଥିବା ତାଙ୍କ ମାଆବାପା ଦେଖିଥିଲେ। ସେମାନେ ଶିଶୁଟିର ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ନେଇଥିଲେ। ଏପରିକି ବିଦେଶରେ ଚିକିତ୍ସା କରାଇବାକୁ ମଧ୍ୟ ଉଦ୍ୟମ କରିଥିଲେ। ଉକ୍ତ ଚୁଟି ଜଟାକୃତ ହୋଇ ଲାଞ୍ଜ ଭଳି ଦେଖାଯିବା ପରେ ଜଣେ ସ୍ଥାନୀୟ ପୂଜକ ଶିଶୁଟିକୁ ଭଗବାନ ହନୁମାନଙ୍କ ଅବତାର ବୋଲି କହିଥିଲେ। ପୂଜକଙ୍କ କଥାରେ ମାଆବାପା ବିଶ୍ୱାସ କରିବା ସହ ଖୁସି ହୋଇଥିଲେ। ସେମାନେ ପିଲାର ଚିକିତ୍ସା ବନ୍ଦ କରିଦେଇଥିଲେ।

Share