ସୌର ପ୍ରକଳ୍ପ ପାଇଁ ୭୦ କୋଟି ବ୍ୟୟବରାଦ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ୨୦୨୨ ସୁଦ୍ଧା ୨୨୫୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଅଣପାରମ୍ପରିକ ନୀତି -୨୦୧୬ ଅନୁଯାୟୀ ଏହି ସୌର ପ୍ରକଳ୍ପ ସ୍ଥାପନ କରାଯିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୪୭୨ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ହେଉଛି। ଏଥିସହିତ ଏହି ସମୟରେ ରାଜ୍ୟର ୧୭ଟି ସହର ଯଥା ସମ୍ବଲପୁର, ବୁର୍ଲା, ହୀରାକୁଦ, ରାଉରକେଲା, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, ଛତ୍ରପୁର, ଜୟପୁର, କୋରାପୁଟ, ନବରଙ୍ଗପୁର, ସୁନାବେଡ଼ା, ବାଲେଶ୍ୱର, ଭଦ୍ରକ, ବାରିପଦା, ଭୁବନେଶ୍ୱର ଓ ବଲାଙ୍ଗୀରରେ ସରକାରୀ କୋଠାଘର ଉପରେ ଅତିକମ୍‌ରେ ୧୭ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ରୁଫ୍‌ଟପ୍‌ ସୋଲାର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଟେଣ୍ଡର ପ୍ରକି୍ରିୟା ଚାଲୁ ରହିଛି। ଏହି ପ୍ରକଳ୍ପ ପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯିବ। ୨୦୨୧-୨୨ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ସେହିପରି ସମ୍ବଲପୁର ଚିପିଲିମା ଜଳବିଦ୍ୟୁତ୍‌ କେନ୍ଦ୍ର ପରିସରଭୁକ୍ତ ଅବ୍ୟବହୃତ ୬୦ ଏକର ଜମିରେ ୧୦ ମେଗାଓ୍ବାଟ୍‌ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ହେବ । ଏ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଛାତ ଉପରେ ସୌରଶକ୍ତି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ପ୍ରୋତ୍ସାହନ କେବଳ ଆବାସିକ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଛି। ୩ କିଲୋଓ୍ବାଟ୍‌ କ୍ଷମତା ପାଇଁ ୪୦ ପ୍ରତିଶତ ସବ୍‌ସିଡି ଦିଆଯାଉଥିବା ବେଳେ ୩ କିଲୋଓ୍ବାଟ୍‌ରୁ ୧୦ କିଲୋଓ୍ବାଟ୍‌ ପର୍ଯ୍ୟନ୍ତ ୨୦ ପ୍ରତିଶତ ସବ୍‌ସିଡି ଦିଆଯାଉଛି। ଏଥିସହିତ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଉତ୍ପାଦିତ ସୌରଶକ୍ତିର ୟୁନିଟ୍‌ ପିଛା ୩.୦୮ ଟଙ୍କା କ୍ରୟ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ସରକାର ୫ ବର୍ଷ ପାଇଁ ୟୁନିଟ୍‌ ପିଛା ୪୦ ପଇସା ପ୍ରୋତ୍ସାହନ ରାଶି ଦେବାକୁ ଅନୁମୋଦନ କରିଛନ୍ତି। ଅଫ୍‌ଗ୍ରୀଡ୍‌ ସୌର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟରେ ସମ୍ପୂର୍ଣ୍ଣ ବ୍ୟୟବରାଦ କରିଛନ୍ତି। ବିଜେଡି ସଭ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

Share