ପ୍ୟାରିସ୍, ୧୪ା୧୦: ମନୁଷ୍ୟକୃତ କାରଣ ଯୋଗୁ ପ୍ରକୃତି ନିଜର ପ୍ରାକୃତିକତା ହରାଉଛି। ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବ ମଣିଷ ନିଜେ ଭୋଗିବା ସହ ସାରା ଜୀବଜଗତ ଅଙ୍ଗେ ନିଭାଉଛନ୍ତି। ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀ ବିଲୁପ୍ତପ୍ରାୟ ହୋଇଯାଇଥିବାବେଳେ ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍)ର ସଦ୍ୟ ରିପୋର୍ଟ ଚିନ୍ତା ବଢ଼ାଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଅନୁସାରେ ୧୯୭୦ ମସିହା ପରଠାରୁ ୨୦୧୮ ମଧ୍ୟରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସପାଇଲାଣି। ଅର୍ଥାତ୍ ବିଭିନ୍ନ ଜଙ୍ଗଲ ଓ ସମୁଦ୍ରରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ଏବଂ ପ୍ରଦୂଷଣ ମାତ୍ରା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ଏଥିରେ କୁହାଯାଇଛି।
୫ ହଜାରରୁ ଊର୍ଦ୍ଧ୍ୱ ପ୍ରଜାତିର ସ୍ତନ୍ୟପ୍ରାୟୀ, ପକ୍ଷୀ, ଉଭୟଚର, ସରୀସୃପ ଏବଂ ମାଛ ଆଦି ୩୨ ହଜାର ପ୍ରାଣୀଙ୍କ ସଂଖ୍ୟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶେଷକରି ଲାଟିନ୍ ଆମେରିକା ଏବଂ କାରିବିଆନ୍ ଅଞ୍ଚଳରେ ପ୍ରାଣୀଙ୍କ ସଂଖ୍ୟା ସର୍ବାଧିକ ୯୪% ପର୍ଯ୍ୟନ୍ତ ହ୍ରାସ ପାଇଛି। ସବୁଠୁ ଉଦ୍ବେଗଜନକ ହେଲା ୧୯୭୦ରୁ ନିରୀକ୍ଷଣରେ ରହିଥିବା ବନ୍ୟପ୍ରାଣୀଙ୍କ ସଂଖ୍ୟା କମିଛି, ଯାହା ଚିନ୍ତାର କାରଣ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଇଣ୍ଟରନ୍ୟାଶନାଲର ମହାନିର୍ଦ୍ଦେଶକ ମାର୍କୋ ଲମ୍ବେରଟିନି କହିଛନ୍ତି। ୧୯୯୪ରୁ ୨୦୧୬ ମଧ୍ୟରେ ବ୍ରାଜିଲିଆନ୍ ଆମାଜନ୍ରେ ପିଙ୍କ୍ ରିଭର୍ ଡଲ୍ଫିନ୍ଙ୍କ ସଂଖ୍ୟା ୬୫% କମିଛି। ମଣିଷ ନିଜ ପାଇଁ ଫସଲ ଜମି, ଘର, ସହର ବନାଇବା ଲାଗି ଜଙ୍ଗଲ ସଫା କରୁଛି। ଜଙ୍ଗଲ ଜମିରୁ ଖାଦ୍ୟ ଉତ୍ପାଦନ ହେତୁ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଛି। ଏହାସହ ବିଶୁଦ୍ଧ ଜଳ ହ୍ରାସ ୫୦% ବୋଲି ରେକର୍ଡ କରାଯାଇଛି। ଜଙ୍ଗଲ ସଫା ହେତୁ ସବୁଜଗୃହ ବାଷ୍ପ ନିର୍ଗମନ ୩୦% ବଢ଼ିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ର ଗତ ଦୁଇଥରର ରିପୋର୍ଟ ଦେଖିଲେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୨.୫% କମୁଛି। ମଣିଷ ପ୍ରତ୍ୟକ୍ଷ ଭାବେ ମଧ୍ୟ ନିଜ ଖାଦ୍ୟ, ପରିଧାନ, ଔଷଧ ଆବଶ୍ୟକତା ପାଇଁ ବନ୍ୟପ୍ରାଣୀଙ୍କ ହତ୍ୟା କରୁଛି। ଏସବୁକୁ ରୋକା ନ ଗଲେ ପ୍ରକୃତି ଭୟଙ୍କର ଭାବେ ଏହାର ପ୍ରତିଶୋଧ ନେବ। ଏଭଳି ବିପଦକୁ ଏଡ଼ାଇବାକୁ ବଡ଼ସ୍ତରରେ ଜୈବ ବିବିଧତା ରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଅନ୍ତର୍ଜାତୀୟ ସମୁଦାୟ ଏଥିନିମନ୍ତେ ଅଧିକ ପାଣ୍ଠି ଯୋଗାଇଦେବା ଆବଶ୍ୟକ। ପ୍ରକୃତିକୁ ରକ୍ଷା କରିବା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଆଫ୍ରିକାର ଆଞ୍ଚଳିକ ନିର୍ଦ୍ଦେଶକ ଆଲିସ୍ ରୁହଓ୍ବେଜା କହିଛନ୍ତି।