ଗୋଟେ ନଳକୂପକୁ ୭୦ ପରିବାର

କେନ୍ଦୁଝର,୬।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗାଁରୁ ସହର ସବୁଆଡ଼େ ବିଶୁଦ୍ଧ ପିଇବା ପାଣି ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ବୋଦାପୋଳଶା ପଞ୍ଚାୟତର କବିତ୍ରା ମୁଣ୍ଡା ସାହିରେ ଯୋଜନା ଫେଲ ମାରିଛି। ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ ଖରାପ ହୋଇଯାଇଥିବା ବେଳେ ଗୋଟିଏ ନଳକୂପ ଉପରେ ସାହି ଭରସା କରୁଛି। ଫଳରେ ଅନେକେ ନଦୀ, ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ଅନୁଯାୟୀ, ସାହିରେ ଆଜକୁ ୫୦ ବର୍ଷ ହେବ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ୭୦ ପରିବାରର ପ୍ରାୟ ୨୦୦ ଲୋକ ସଂଖ୍ୟା ବିଶିଷ୍ଟ ଉକ୍ତ ସାହିିରେ ଜଳ ଉତ୍ସବ ଭାବେ ଏକ ମାତ୍ର ନଳକୂପ ରହିଛି। ୧୦ ବର୍ଷ ପୂର୍ବରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପାଣି ପାଇପ ବିଛା ଯାଇଥିବାବେଳେ ଏବେ ଭାଙ୍ଗି ରୁଜି ଗଲାଣି। ବହୁ ସମୟରେ ନଳକୂପଟି ଖରାପ ହୋଇଯାଉଥିବାରୁ ବିଶୁଦ୍ଧ ପିଇବା ପାଣି ଟିକେ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ସାହିର ଲୋକେ ୨ କି.ମି. ଅରଡେଇ ନଦୀ କିମ୍ବା ପୋଖରୀରୁ ପାଣି ସଂଗ୍ରହ କରି ନିଜର ଆବଶ୍ୟକତା ପୁରଣ କରିଥାନ୍ତି। ଫଳରେ ଜଳ ବାହିତ ଓ ବିଭିନ୍ନ ଚର୍ମ ରୋଗରେ ପଡୁଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଦୂଷିତ ଜଳ ପିଇ ଝାଡ଼ା, ବାନ୍ତି ଆଦି ବ୍ୟାପୁୁଥିବା ସାମାଜିକକର୍ମୀ ତୁଳସୀ ପାତ୍ର କହିଛନ୍ତି। ମୁଣ୍ଡା ସାହିର ଦୁର୍ଦ୍ଦଶା ଖବର ପାଇ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ କୁମାର ବେହେରା ଉପସଭାପତି ଜୟକୃଷ୍ଣ ନାଏକ କବିତ୍ରା ଗ୍ରାମକୁ ଯାଇ ସ୍ଥିତି ପରଖିଥିବାବେଳେ ଖରାଦିନ ପୂର୍ବରୁ ତୁରନ୍ତ ନୂତନ ନଳକୂପ ଖନନ ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି।