ଆମାଜନ ଜଙ୍ଗଲରୁ ୭୦ ବନ୍ଧକ ପର୍ଯ୍ୟଟକ ମୁକ୍ତ…

ଲିମା,୫।୧୧ : ପେରୁର ଆମାଜନ ଜଙ୍ଗଲରେ ବନ୍ଧକ ରଖାଯାଇଥିବା ପ୍ରାୟ ୭୦ ପର୍ଯ୍ୟଟକଙ୍କୁ ମୁକ୍ତ କରାଯାଇଛି। ଖବର ଅନୁଯାୟୀ, ବନ୍ଧକ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ସ୍ପେନ, ଫ୍ରାନ୍ସ, ବ୍ରିଟେନ ଏବଂ ସ୍ବିଜରଲାଣ୍ଡର ନାଗରିକ ରହିଥିଲେ। ବନ୍ଧକମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଥିଲେ ଯେଉଁମାନେ ସେଠାରେ ଏକ ଗୋଷ୍ଠୀ ଦ୍ୱାରା ବନ୍ଧକ ହୋଇଥିଲେ। ଗୋଷ୍ଠୀର ସଦସ୍ୟମାନଙ୍କ ସହ ଅନେକ ଘଣ୍ଟା ଆଲୋଚନା ପରେ ବନ୍ଧକମାନଙ୍କୁ ମୁକ୍ତ କରାଯାଇଥିଲା।

ଯଦିଓ ବନ୍ଧକରେ ଥିବା ପର୍ଯ୍ୟଟକଙ୍କ ପ୍ରକୃତ ଆକଳନ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହା ନିଶ୍ଚିତ କରାଯାଇଛି ଯେ ଗର୍ଭବତୀ ମହିଳା, ଏକ ମାସର ଶିଶୁ ଏବଂ ବୃଦ୍ଧ ବ୍ୟକ୍ତି ଏଥିରେ ଅଛନ୍ତି। ନିକଟରେ ତୈଳ ଲିକ୍‌ ହେବା ପରେ ସରକାରୀ ସହାୟତା ଅଭାବକୁ ବିରୋଧ କରି ଜଙ୍ଗଲବାସୀ ଏହି ପଦକ୍ଷେପ ନେଇଥିଲେ।

ପେରୁର ପରିବେଶ ମନ୍ତ୍ରଣାଳୟ ଅନୁଯାୟୀ, ସେପ୍ଟେମ୍ବର ୧୬ ରେ ପ୍ରାୟ ୨୫୦୦ ଟନ ଅଶୋଧିତ ତୈଳ ବିଶ୍ୱର ବୃହତ୍ତମ ଜଙ୍ଗଲରେ ପ୍ରବେଶ କରିବା ଯୋଗୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପେଟ୍ରୋପେରୁ କହିଛି ଯେ ଲିକ ପରେ ଖାଲିଥିବା ବ୍ୟାରେଲ ସଂଖ୍ୟା ବିଷୟରେ ଆକଳନ କରାଯାଇ ନାହିଁ।

ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟକଙ୍କୁ ବନ୍ଧକ ରଖାଯାଇଥିବା ଗୋଷ୍ଠୀ ଦାବି କରିଛନ୍ତି ଯେ ତୈଳ ଲିକ୍‌ ପରେ ରିଲିଫ ଏବଂ ସହାୟତା ପାଇଁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି। ଗୋଷ୍ଠୀ ପୂର୍ବରୁ କହିଥିଲେ ଯେ ସେମାନେ ଏହି ପର୍ଯ୍ୟଟକଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଧକ ରଖିବେ। କୁନିନିକୋ ଗ୍ରୁପର ନେତା ୱାଟସନ ଟ୍ରୁଜିଲୋ ଆରପିପି ରେଡିଓକୁ କହିଛନ୍ତି ଯେ ଆମେ ଏହି କାର୍ଯ୍ୟାନୁଷ୍ଠାନ ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ।

 

Share