ଜମି ଦେବାକୁ କହି ୭୦ ଲକ୍ଷ ଠକେଇ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ରାଜଧାନୀରେ ଜମି ଦେବାକୁ କହି ଜଣେ ବ୍ୟକ୍ତି ୭୦ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଏ ନେଇ ଠକେଇର ଶିକାର ହୋଇଥିବା ଧଉଳିସ୍ଥିତ ଗଙ୍ଗୋତ୍ରୀ ଅଞ୍ଚଳର ଛବିନ୍ଦ୍ରନାଥ ପାତ୍ର ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପଟେ ଅଭିଯୋଗ ହୋଇଥିବା ଜାଣି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଛବିନ୍ଦ୍ରନାଥ ପରିବାର ସହ ଶିଶୁପାଳଗଡ଼, ଗଙ୍ଗୋତ୍ରୀନଗର-୩ରେ ରୁହନ୍ତି। ତାଙ୍କ ଗ୍ରାମର ଜଣେ ବ୍ୟକ୍ତି କାକଟପୁରରେ ପାନ ଦୋକାନ କରିବା କହି ଛବିନ୍ଦ୍ରନାଥଙ୍କଠାରୁ ଧାରରେ ୭୦ଲକ୍ଷ ଟଙ୍କା ନେଇଥିଲେ। ଏହି ଟଙ୍କା ୭ଦିନ ମଧ୍ୟରେ ଫେରାଇ ଦେବାକୁ କହିଥିଲେ। ହେଲେ ୭ଦିନ ପରେ ମଧ୍ୟ ଟଙ୍କା ଦେଇ ନ ଥିଲେ। ପରେ ଉକ୍ତ ବ୍ୟକ୍ତି ଜଣଙ୍କ ନାମରେ ଭୁବନେଶ୍ୱରରେ ଏକ ଜମି ଥିବା କହିବା ସହ ତାହାକୁ ଛବିନ୍ଦ୍ରନାଥଙ୍କ ନାମରେ କରି ଦେବାକୁ ସେ କହିଥିଲେ। ଏ ନେଇ ୨୦୧୯ ଜୁନ୍‌ ୧୧ରେ ଭୁବନେଶ୍ୱର କୋର୍ଟ ପରିସରରେ ଜମି ଦେବା ପାଇଁ ଏକ ଏଗ୍ରିମେଣ୍ଟ କରିଥିଲେ। ହେଲେ ଜମି ନ ଦେଇ ବିଭିନ୍ନ ଆଳ ଦେଖାଇ ଅଭିଯୁକ୍ତ ଦିନ ଗଡ଼ାଇଥିଲେ। ଦିନେ ଛବିନ୍ଦ୍ରନାଥ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଯାଇ ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। ଫଳରେ ଅଭିଯୁକ୍ତ ୪ଟି ଚେକ୍‌ ତାଙ୍କୁ ଦେଇଥିଲେ। ହେଲେ ଏହି ଚେକ୍‌କୁ ଛବିନ୍ଦ୍ରନାଥ ବ୍ୟାଙ୍କ୍‌ରେ ଲଗାଇଥିଲେ ମଧ୍ୟ ତାହା ବାଉନ୍ସ୍‌ ହୋଇଯାଇଥିଲା।

Share