ସାଂଘାଇର ୭୦% ଲୋକ କୋଭିଡ୍‌ ଆକ୍ରାନ୍ତ

ସାଂଘାଇ,୪।୧: ଚାଇନାରେ କୋଭିଡ୍‌ ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ହେବାରେ ଲାଗିଛି। ବେଜିଂ ପରେ ଏବେ ସାଂଘଇରେ ମହାମାରୀ କରୋନା କାୟା ବିସ୍ତାର କରିଛି। ଚାଇନା ଗବେଷକଙ୍କ ମତରେ ସାଂଘାଇର ୭୦% ଲୋକ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ପୂର୍ବ ଲହର ତୁଳନାରେ ସାଂଘାଇରେ କୋଭିଡ୍‌ ସ୍ଥିତି ୨୦ରୁ ୩୦ ଗୁଣା ବୃଦ୍ଧି ପାଇଥିବା ରୁଇଜିନ୍‌ ହସ୍ପିଟାଲର ଭାଇସ୍‌ ପ୍ରେସିଡେଣ୍ଟ୍‌ ଚେନ୍‌ ଇର୍‌ଝେନ୍‌ ସୂଚନା ଦେଇଛନ୍ତି। ଦୈନିକ ଡାକ୍ତରଖାନାରେ ୧୬୦୦ ରୋଗୀ ଆଡ୍‌ମିଟ୍‌ ହେଉଥିବାବେଳେ ସେମାନଙ୍କ ଭିତରୁ ୮୦% କୋଭିଡ୍‌ ଆକ୍ରାନ୍ତ ବୋଲି ଚେନ୍‌ କହିଛନ୍ତି।
କରୋନା ବିରୋଧରେ ଶି ଜିନ୍‌ପିଙ୍ଗ୍‌ ସରକାର ଦେଶରେ ଲାଗୁ କରିଥିବା ଜିରୋ କୋଭିଡ୍‌ ନୀତି ହଟିବା ପରେ ଡିସେମ୍ବରରୁ ଦେଶରେ ସଂକ୍ରମଣ ହାରରେ ବୃଦ୍ଧି ଘଟିଛି। କଟକଣା ହଟିଯିବାର ପ୍ରଥମ ୨୦ ଦିନ ମଧ୍ୟରେ ଚାଇନାର ୨୫୦ ନିୟୁତ ଲୋକ ସଂକ୍ରମିତ ହୋଇଥିବା ଲଣ୍ଡନ୍‌ର ଆନାଲିଟିକ୍ସ ଫାର୍ମ ଏୟାରଫିନିଟି କହିଛି। ସାଂଘାଇ, ବେଜିଂ ଛଡ଼ା ଦେଶର ଅନ୍ୟ ପ୍ରମୁଖ ସହର ଟିଆଞ୍ଜିନ୍‌, ଗୁଆଙ୍ଗଝୋଉରେ ମଧ୍ୟ କୋଭିଡ୍‌ ସ୍ଥିତି ବିପଜ୍ଜନକ ଅବସ୍ଥାରେ ରହିଛି।
ଚାଇନାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ବ୍ରିଟେନ୍‌, ଫ୍ରାନ୍ସ, ଜାପାନ, ତାଇଓ୍ବାନ, ଇଟାଲି, ଭାରତ ଏବଂ ଦକ୍ଷିଣ କୋରିଆ ଚାଇନା ଫେରନ୍ତା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି। ଏ ପ୍ରକାର କଟକଣାକୁ ନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ଚାଇନାରୁ ଅନ୍ୟ ଦେଶକୁ ଯାଉଥିବା ଯାତ୍ରୀଙ୍କ ଉପରେ କଟକଣା ଲାଗୁ କରିବା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଅନ୍ୟ ଦେଶଗୁଡ଼ିକ ସହ ଚାଇନା ଉତ୍ତମ ଯୋଗାଯୋଗ ସ୍ଥାପନ କରିବାକୁ ଚାହୁଁଛି। ତେବେ ଏହା ବିରୋଧରେ ଚାଇନା ମଧ୍ୟ ଅନୁରୂପ କଟକଣା ଲଗାଇପାରିବ ବୋଲି ମାଓ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

Share