୭୦୦ କୋଟିର ‘ମହାଭାରତ’

ମୁମ୍ବାଇ: ମହାଭାରତ ସିରିୟଲ ପରେ ଏବେ ଏହା ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯୋଜନା ଚାଲିଛି। ଏକ ରିପୋର୍ଟ ଅନୁଯାୟୀ, ଫିରୋଜ ନାଦିୟାଦ୍‌ୱାଲା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି। ଏହା ପୂର୍ବରୁ ସେ ‘ହେରାଫେରି’, ‘ୱେଲକମ୍‌’ ଭଳି କମେଡି ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ମହାଭାରତର ୨.୦ ସଂସ୍କରଣ ପାଇଁ ନୂଆ ଟେକ୍‌ନିକ୍‌ ସହ ଫିଲ୍ମ ନିର୍ମାଣ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଚଳଚ୍ଚିତ୍ରର ବଜେଟ୍‌ ୭୦୦ କୋଟି ବା ତା’ଠାରୁ ଅଧିକ ଟଙ୍କା ହେବ ବୋଲି ନିର୍ଦ୍ଦେଶକ ଅନୁମାନ କରିଛନ୍ତି। ଏପରି ହେଲେ ଭାରତୀୟ ସିନେମା ଶିଳ୍ପରେ ଏହା ସବୁଠୁ ଅଧିକ ବଜେଟ୍‌ର ଫିଲ୍ମ ହେବ। ସୂଚନାଯୋଗ୍ୟ ଯେ, ୧୯୬୫ରେ ନିର୍ମାତା ଏ.ଜି. ନାଦିୟାଦ୍‌ୱାଲା ‘ମହାଭାରତ’ ସିନେମା ନିର୍ମାଣ କରିଥିଲେ। ଏହା ବକ୍ସ ଅଫିସ୍‌ରେ ବଡ ସଫଳତା ହାସଲ କରିଥିଲା। ବର୍ତ୍ତମାନ ୪-୫ ବର୍ଷ ହେବ ସ୍କ୍ରିପ୍ଟ ଉପରେ କାମ ଚାଲିଥିବା କୁହାଯାଉଛି। ମୁଭିର ମୁଖ୍ୟ ଫଟୋଗ୍ରାଫି ୨୦୨୫ରେ ଆରମ୍ଭ ହେବ। ଏହାକୁ ପ୍ରଥମେ ହିନ୍ଦୀ ଭାଷାରେ ରିଲିଜ୍‌ କରାଯିବ। ପରେ ଅନ୍ୟ ଭାଷାରେ ମୁକ୍ତିଲାଭ କରାଯିବାର ଯୋଜନା ରହିଛି। ୩ ଘଣ୍ଟାର ଫିଲ୍ମରେ ମହାଭାରତର ସମସ୍ତ କାହାଣୀ ରହିବ। ଏହି ମୁଭିର ପ୍ରଡକ୍ସନ ହାଉସ ଅକ୍ଷୟ କୁମାର, ଅଜୟ ଦେବଗନ, ରଣବୀର ସିଂ, ନାନା ପାଟେକର, ପରେଶ ରାୱଲ ଓ ଅନିଲ କପୁରଙ୍କୁ ନେବାକୁ ଚିନ୍ତା କରୁଛି। ଏଥିସହ ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ଅଭିନେତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି।

Share