ପ୍ୟାରିସ୍,୧।୧୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଫ୍ରାନ୍ସ ସରକାର ପୁଣି ଥରେ ୪ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରିଛନ୍ତି। ଶୁକ୍ରବାରଠାରୁ ସେଠାରେ ଲକ୍ଡାଉନ ଆରମ୍ଭ ହୋଇଛି। ସହର ମଧ୍ୟରେ ଆବଦ୍ଧ ହୋଇ ରହିବା ଅପେକ୍ଷା ପ୍ୟାରିସର ଜନସାଧାରଣ ଗ୍ରାମାଭିମୁଖୀ ହେବାରୁ ରାସ୍ତାଗୁଡ଼ିକ ପ୍ରବଳ ଗହଳି ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ଗୋଟିଏ ସ୍ଥାନରେ ୭୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇଥିବା ଡିଷ୍ଟୋପିଆନ୍ ଚିତ୍ରରୁ ଦେଖିବାକୁ ମିଳିଛି। ଆଗକୁ ଲମ୍ବା ଛୁଟି ଥିବାରୁ ଅଧିକାଂଶ ଲୋକ କାର ଚଳାଇ ଗ୍ରାମାଭିମୁଖେ ବାହାରି ପଡ଼ିଥିଲେ।
ୟୁରୋପ ଏବଂ ଅନ୍ୟ ଦେଶରେ ପ୍ରଥମେ କରୋନା ମହାମାରୀ ବ୍ୟାପିବା ବେଳେ ଲକ୍ଡାଉନ ଘୋଷଣା ହେବା ଯୋଗୁ ଲୋକମାନଙ୍କୁ ଦୀର୍ଘ ସପ୍ତାହ ଘରେ ରହିବାକୁ ପଡ଼ିଥିଲା। ପୁଣି ସେଠାରେ ସେଭଳି ସ୍ଥିତି ଉପୁଜିବାକୁ ଯାଉଛି। କେତେକ ଦେଶରେ ସଂକ୍ରମଣ ରେକର୍ଡ ସ୍ତରରେ ପହଞ୍ଚତ୍ଥିବାବେଳେ ଏବେ ସେମାନେ ପୁଣିଥରେ କଠୋର କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି। ଫ୍ରାନ୍ସରେ ପୁନର୍ବାର ଲକ୍ଡାଉନ ଯୋଗୁ ରାଜଧାନୀର ଅଧିକାଂଶ ଅଞ୍ଚଳ ଶନିବାର ସକାଳେ ଖାଁଖାଁ ଲାଗିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଥିଲା। ପ୍ୟାରିସ୍ର ୬୭ ନିୟୁତ ଲୋକଙ୍କୁ ଘରୁ ନ ବାହାରିବାକୁ ଓ କାହାକୁ ଘରକୁ ଆସିବାକୁ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମେଡିକାଲ କାମରେ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନକୁ ଗୋଟିଏ ଘଣ୍ଟା ପାଇଁ ୧ କିଲୋମିଟର ମଧ୍ୟରେ ବାହାରକୁ ଯିବା ଲାଗି ଅନୁମତି ମିଳିଛି।