୭୦୦ ଛାତ୍ରୀଛାତ୍ରରେ ୬ ଶିକ୍ଷକ

ଯୋଡ଼ା,୯ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହରର ୧୧ନଂ. ୱାର୍ଡରେ ଥିବା କମାର ଯୋଡ଼ା ୟୁଜିଏମଇ ସ୍କୁଲ ସମସ୍ୟା ଘେରରେ ରହିଛି। ଦୀର୍ଘ ଦିନ ହେବ ଶିକ୍ଷକ ଅଭାବ ଲାଗି ରହିଥିବାରୁ ପାଠପଢ଼ାରେ ସମସ୍ୟା ଉପୁଜୁଛି। ଏଥିସହ ମଧ୍ୟାହ୍ନ ଭୋଜନ ନିମ୍ନମାନର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଅଭିଭାବକ ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଶେଷରେ ନିରାଶ ହୋଇ ସ୍ଥାନୀୟ କାଉନ୍‌ସିଲର ବରୁଣ ଆପଟ୍ଟଙ୍କ ସହିତ ୱାର୍ଡବାସୀ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଉକ୍ତ ସ୍କୁଲ୍‌ରେ ପ୍ରାୟ ୭୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୩୦ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅନୁସାରେ ପ୍ରାୟ ୨୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇବା କଥା। ମାତ୍ର ଦୀର୍ଘ ବର୍ଷ ହେଲା ମାତ୍ର ୮ ଜଣ ଶିକ୍ଷକରେ ଶିକ୍ଷାଦାନ ଚାଲିଥିଲା। କିଛି ଦିନ ପୂର୍ବରୁ ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ଏବେ ମାତ୍ର ୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକରେ ପଢ଼ା ହେଉଛି। ଫଳରେ ଛାତ୍ରୀଛାତ୍ରଙ୍କ ପଢ଼ାରେ ସମସ୍ୟା ଦେଖାଯାଉଛି। ସେହିପରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମାନୀ ଯୋଗୁ ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଏନେଇ ଅଭିଭାବକ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଯୋଡ଼ା ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବିଭାଗୀୟ ତଦନ୍ତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏ ନେଇ ସ୍ଥାନୀୟ କାଉନ୍‌ସିଲର ଆପଟ୍ଟ କହିଛନ୍ତି, ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଇଛି। ଅଧିକ ଉପସ୍ଥାନ ଦର୍ଶାଇ ହରିଲୁଟ୍‌ ହେଉଛି। ସ୍କୁଲ୍‌ର ଶିକ୍ଷ୍ୟା କମିଟି ସଭାପତିଙ୍କଠାରୁ ଖାଲି ଚେକ୍‌ରେ ଦସ୍ତଖତ କରି ମିଥ୍ୟା ବିଲ ଉଠାଉଥିବା କହିଥିଲେ।
ଚମ୍ପୁଆ ବିଧାୟିକା କହିଛନ୍ତି, ଯୋଡ଼ା ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଏହାର ତଦାରଖ କରିବା ପାଇଁ କହିଛି। ସ୍କୁଲ ର ସମସ୍ୟା କିପରି ସ୍ଥାୟୀ ସମାଧାନ ହେବ, ଏ ନେଇ ସେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ କହିଥିଲେ। ଯୋଡ଼ା ବ୍ଲକ୍‌ ଅତିରିକ୍ତ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା କହିଛନ୍ତି, ଗତ ୨୦୧୮ରୁ ସରକାର ନୂତନ ଶିକ୍ଷକ ନିଯୁକ୍ତି ଦେଇ ନାହାନ୍ତି। ଫଳରେ ସବୁ ସ୍କୁଲରେ ଶିକ୍ଷକ ପଦବୀ ଖାଲି ରହିଛି ବୋଲି କହିଥିଲେ। ଖାଦ୍ୟ ନିମ୍ନମାନର ସମ୍ପର୍କରେ ବ୍ଲକ୍‌ ଶିକ୍ଷାଧିକାରୀ ତଦନ୍ତ କରିଥିବାରୁ ସେ ଏବ ବିଷୟରେ ମୁହଁ ଖୋଲି ନ ଥିଲେ। ଘଟଣାରେ ଜଣେ ଓଏଏସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।