କାବୁଲ, ୬।୭: ତାଲିବାନ ଉଗ୍ରପନ୍ଥୀମାନେ ଗତ ମାସରେ ଆଫଗାନିସ୍ତାନ ସୈନ୍ୟବାହିନୀର ପ୍ରାୟ ୭୦୦ ଟ୍ରକ୍ ଓ ଅନ୍ୟ ସାମରିକ ଯାନ କବ୍ଜା କରିଥିବା ଜଣାପଡ଼ିଛି। ତାଲିବାନ ଚାପ ଯୋଗୁ କେତେକ ଜିଲାରେ ସ୍ଥାନୀୟ ସୁରକ୍ଷା ବଳ ଉଭାନ ହୋଇଗଲେଣି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାରୁ ସେଠାରେ ସରକାର ତିଷ୍ଠି ନ ପାରିବା ଧାରଣା ସୃଷ୍ଟି ହୋଇଛି। ତାଲିବାନ ବିରୋଧରେ ଲଢ଼େଇ ପାଇଁ ଆଫଗାନ ସେନାକୁ ମିଳିଥିବା ସାମରିକ ଯୁଦ୍ଧାସ୍ତ୍ର ଏବେ ଉଗ୍ରପନ୍ଥୀଙ୍କ ହାତରେ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏକ ଅଧ୍ୟୟନ ଅନୁଯାୟୀ ଜୁନ୍ ୩୦ ସୁଦ୍ଧା ତାଲିବାନ ହାତରେ ୭୧୫ ଯାନ ପଡ଼ିଥିବାବେଳେ ଅନ୍ୟ ୬୫ଟି ଧ୍ୱଂସ ହୋଇଯାଇଛି। ତେବେ ପ୍ରକୃତରେ ଏହାଠାରୁ ଆହୁରି ଅଧିକ ସାମରିକ ଯାନ ନଷ୍ଟ ହୋଇଥାଇପାରେ ବୋଲି କୁହାଯାଉଛି।