ରାଜଧାନୀରେ ୭୦ହଜାର ମୁହାଁ ସଂକ୍ରମଣ

ଭୁବନେଶ୍ୱର, ୨୪।୫ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ଲାଗିଛି। ଉଭୟ ସଂକ୍ରମଣ ଓ ମୃତ୍ୟୁ ବଢ଼ି ଚାଲିଛି। ଦୈନିକ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏକାଧିକ ଜୀବନ ଯାଉଛି। ସ୍ଥିତି ଏପରି ହୋଇଛି ସହରରୁ ୬୦ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇ ସାରିଲେଣି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହା ୭୦ ହଜାରକୁ ଛୁଇଁବାର ଆଶଙ୍କା କରାଯାଉଛି। ଚଳିତ ବର୍ଷ ଜାନୁୟାରୀ ୧ରେ ମହାନଗରରେ ସଂକ୍ରମିତଙ୍କ ସଖ୍ୟା ୩୧ ହଜାର ୬୪୭ରେ ପହଞ୍ଚତ୍ଥିଲା। ଫେବୃୟାରୀ ୧ରେ ୩୧ହଜାର ୮୭୭ ଓ ମାର୍ଚ୍ଚ ୧ରେ ୩୧ହଜାର ୯୯୧ ରହିଥିଲା। ୨ ମାସରେ ମାତ୍ର ୩୪୪ ବଢ଼ିଥିଲା। ତେବେ ଏହାପରଠାରୁ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଘଟିଥିବାବେଳେ ମେ’ରେ କରୋନା ତାହାର ଭୟାବହତା ଦେଖାଇଛି। ମାସ ଆରମ୍ଭରେ ମୋଟ ୪୫ ହଜାର ୫୦୮ଜଣ ସଂକ୍ରମିତ ହୋଇଥିବାବେଳେ ମାତ୍ର ୧୫ଦିନ ମଧ୍ୟରେ ଏହି ସଂଖ୍ୟା ୬୦ ହଜାର ୨୮୧ ଛୁଇଁଥିଲା। ତେବେ ଗତ ୨୪ ଘଣ୍ଟାରେ ଆଉ ୧୦୪୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏବେ ମହାନଗରରେ ସଂକ୍ରମଣ ୬୮ହଜାର ୯୯୭ରେ ପହଞ୍ଚତ୍ଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୬୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଖଣ୍ଡଗିରିରୁ ୪୯, ନୟାପଲ୍ଲୀରୁ ୪୪, ପୁରୁଣା ଭୁବନେଶ୍ୱରରୁ ୪୪, ଡୁମୁଡୁମାରୁ ୩୫, ସାମନ୍ତରାପୁରରୁ ୧୮, ସୁନ୍ଦରପଦାରୁ ୧୭, ଶୈଳଶ୍ରୀ ବିହାରରୁ ୨୫, ଟଙ୍କପାଣି ରୋଡ୍‌, ୟୁନିଟ-୮ ଓ ୟୁନିଟ-୪ରୁ ୧୧ଜଣ ଲେଖାଏଁ, ରସୁଲଗଡରୁ ୧୯, ଚନ୍ଦ୍ରଶେଖରପୁରରୁ ୨୮, ବିଜେବି ନଗରରୁ ୧୭, ଲକ୍ଷ୍ମୀସାଗରରୁ ୧୮, ଭରତପୁରରୁ ୧୬, ବରମୁଣ୍ଡାରୁ ୨୮, ନୀଳାଦ୍ରି ବିହାରରୁ ୨୨, ବଡଗଡରୁ ୨୬, ଝାରପଡାରୁ ୧୯, ଆଇଆର୍‌ସି ଭିଲେଜରୁ ୧୩, ମଞ୍ଚେଶ୍ୱରରୁ ଓ ଚିନ୍ତାମଣିଶ୍ୱରରୁ ୧୪ଜଣ ଲେଖାଏ, ଜୟଦେବ ବିହାରରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାରୁ ଏହି ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ସେପଟେ ୯୪୧ଜଣ ସୁସ୍ଥ ହୋଇଥିବାବେଳେ ଆରୋଗ୍ୟ ସଂଖ୍ୟା ୫୫,୮୧୦ରେ ପହଞ୍ଚଛି। ଏବେ ୧୨ହଜାର ୮୫୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Share