Categories: ଫୁରସତ

ସିଙ୍ଗଡ଼ା ଖାଇଲେ ମିଳିବ ୭୧ ହଜାର

ଲକ୍ଷ୍ନୌ

ସିଙ୍ଗଡ଼ା କହିଲେ ସାଧାରଣତଃ ଆମେ ଆମ ହାତମୁଠାରେ ଧରି ପାରୁଥିବା ସିଙ୍ଗଡ଼ା କଥା ଭାବିଥାଉ। ହେଲେ ଉତ୍ତରପ୍ରଦେଶର ଏକ ମିଠା ଦୋକାନରେ ପ୍ରସ୍ତୁତ ବିରାଟ ସିଙ୍ଗଡ଼ା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାର ନାମ ଦିଆଯାଇଛି ବାହୁବଳୀ ସିଙ୍ଗଡ଼ା। ୧୨ କେଜିର ସିଙ୍ଗଡ଼ାକୁ ୧୫୦୦ ଟଙ୍କାରେ କିଣି ଯେଉଁ ବ୍ୟକ୍ତି ୩୦ ମିନିଟ୍‌ରେ ଏହାକୁ ଖାଇପାରିବେ, ତାଙ୍କୁ ୭୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଦୋକାନ ମାଲିକ ଶୁଭମ୍‌ କୌଶଲ ଘୋଷଣା କରିଛନ୍ତି। ତାଙ୍କର ଜନ୍ମଦିନ ଅବସରରେ ସେ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜର ଆୟୋଜନ କରିଥିବା କହିଛନ୍ତି। ଏହା ମାଧ୍ୟମରେ ଗ୍ରାହକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହେବ ବୋଲି ଶୁଭମ୍‌ ଆଶାବ୍ୟକ୍ତ କରିଛନ୍ତି। ଏପର୍ଯ୍ୟନ୍ତ ଏପରି ଚ୍ୟାଲେଞ୍ଜକୁ କୌଣସି ଗ୍ରାହକ ପୂରଣ କରିପାରି ନ ଥିବା ସେ କହିଛନ୍ତି। ହେଲେ ଜଣେ ଗ୍ରାହକ ୨୫ ମିନିଟ୍‌ରେ ସିଙ୍ଗଡ଼ାର ୯ କେଜି ଖାଇପାରିଥିବା ଦେଖିବାକୁ ମିଳିଛି। ଆଗକୁ କେହି ନା କେହି ତାଙ୍କ ଆହ୍ବାନକୁ ପୂରଣ କରିପାରିବେ ବୋଲି ସେ ଆଶା ରଖିଛନ୍ତି। ତାଙ୍କର ଏହି ୧୨ କେଜି ସିଙ୍ଗଡ଼ା ପ୍ରତିଯୋଗିତାରେ ଭାଗ ନେବା ବ୍ୟତୀତ ଅନେକ ଲୋକ କେବଳ ଏହି ବାହୁବଳୀ ସିଙ୍ଗଡ଼ାକୁ ଦେଖିବାକୁ ଦୋକାନରେ ଭିଡ଼ ଜମାଉଥିବା ଶୁଭମ୍‌ କହିଛନ୍ତି। ଏହା ପୂର୍ବରୁ ଶୁଭମ୍‌ ଗତବର୍ଷ ୮ କେଜି ଓଜନର ବାହୁବଳୀ ସିଙ୍ଗଡ଼ା ପ୍ରସ୍ତୁତ କରିଥିଲେ। ଏହାର ମୂଲ୍ୟ ରଖିଥିଲେ ୧୧୦୦ ଟଙ୍କା ଏବଂ ପୁରସ୍କାର ରାଶି ବାବଦରେ ମିଳିବ ୫୧ ହଜାର ଟଙ୍କା। ତେବେ ଏହି ସିଙ୍ଗଡ଼ାକୁ ପ୍ରସ୍ତୁତ କରିବାକୁ ୬ ଘଣ୍ଟା ସମୟ ଲାଗିଥିଲା। ସିଙ୍ଗଡ଼ା ଭିତରେ ୭ କିଲୋ ଓଜନର ମସଲା ଭର୍ତ୍ତି କରାଯାଇଥିଲା ଏବଂ ତାକୁ ତେଲରେ ଛାଣିବାକୁ ପାଖାପାଖି ୯୦ ମିନିଟ୍‌ ସମୟ ଲାଗିଥିବା ଜଣାପଡିଛି।

Share