Categories: ଜାତୀୟ

୧ ବର୍ଷରେ ଦେଶରେ ୭ ହଜାର ୧୪୦ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ବିରୋଧରେ ଶିବସେନାର ଅଭିଯୋଗ…

ମୁମ୍ବାଇ, ୧୮।୫ : ଶିବସେନା ମୁଖପତ୍ର ସାମନାରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ଦେଶରେ ଗତ ୧ ବର୍ଷ ମଧ୍ୟରେ ୭ ହଜାର ୧୪୦ ଦୁର୍ନୀତି ଘଟିଥିବା ସାମନାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ସୂଚନା ଅଧିକାର ଅନ୍ତର୍ଗତ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ପକ୍ଷରୁ ଏହି ବିବରଣୀ ପ୍ରଦାନ କରାଯାଇଥିବା ଏଥିରେ ଦର୍ଶାଯାଇଛି। ମୋଟ ୪୦ ହଜାର ୯୨୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାମନା କହିଛି।

୭ ହଜାର ୧୪୦ ଦୁର୍ନୀତି ମଧ୍ୟରୁ ସର୍ବାଧିକ ୪ ହଜାର ୧୯୨ କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଘଟିଛି। ଏଥିରେ ୬ ହଜାର ୯୩୨ କୋଟି ଟଙ୍କାର ଦୁର୍ନୀତି ହୋଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସର୍ବାଧିକ ପରିମାଣର ଦୁର୍ନୀତି ଘଟିଛି। ଏହି ବ୍ୟାଙ୍କରେ ୪୩୧ ଦୁର୍ନୀତି ହୋଇଥିବାବେଳେ ଏହାର ପରିମାଣ ପ୍ରାୟ ୯ ହଜାର ୫୨୯ କୋଟି ଟଙ୍କା ରହିଛି ବୋଲି ସାମନାରେ ଉଲ୍ଲେଖ କରାଯାଇଛି। ନିରବ ମୋଦିଙ୍କ ମାମଲାରେ ଏହି ବ୍ୟାଙ୍କରେ ୧୧ ହଜାର କୋଟି ଟଙ୍କାର ଠକେଇ ହୋଇଥିଲା।

ଦୁର୍ନୀତିରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଦେଶକୁ ଫେରାଇ ଆଣିବା ବିଷୟରେ ସବୁବେଳେ ଚର୍ଚ୍ଚା ହେଉଛି। କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏବେ ବି ଦେଶର ୫୦ ପ୍ରତିଶତରୁ ଅଧିକ ଲୋକ ଜନସଂଖ୍ୟା ଅଧା ଭୋକିଲା ରହୁଛନ୍ତି। ମାତ୍ର ପ୍ରତିବର୍ଷ ୪୦-୫୦ ହଜାର କୋଟି ଟଙ୍କା ଦୁର୍ନୀତି କରି ଅଭିଯୁକ୍ତମାନେ ଦେଶ ବାହାରେ ପଳାଉଛନ୍ତି। ଏହାକୁ ମଧ୍ୟ ଏକ ଦୁର୍ନୀତି କୁହାଯିବା ଆବଶ୍ୟକ ବୋଲି ସାମନାରେ ପ୍ରକାଶ ପାଇଛି।

Share