Categories: ଜାତୀୟ

ମୋଦିଙ୍କ ଜନ୍ମଦିନରେ ଭାଜପାର ମେଗା ପ୍ଲାନ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାଡନଗରରେ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି । ସାରା ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀମାନେ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ଭାଜପା ସାରା ଦେଶରେ ମୋଦିଙ୍କ ଜନ୍ମଦିନକୁ ବେଶ ଧୁମ୍‌ଧାମରେ ପାଳନ କରିବାକୁ ସ୍ଥିର କରିଛି । ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନ ପ୍ରସ୍ତୁତ କରାଯାଇଛି ଯାହା ଶୁକ୍ରବାଠାରୁ ଆରମ୍ଭ କରାଯିବ ଓ ଏହା ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନକୁ ସେବା ଓ ସମର୍ପଣ ନାମ ଦିଆଯାଇଛି । ଏହି ଅଭିଯାନକୁ ୨୦ ଦିନିଆ ପାଳନ କରିବା ପଛରେ କାରଣ ହେଉଛି ଆଜିକୁ ଠିକ୍ ୨୦ ଦିନ ପରେ ଅର୍ଥାତ୍ ୭ ଅକ୍ଟୋବରକୁ ୨୦ ବର୍ଷ ପୂର୍ବେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେଣୁ ଏହି ଅଭିଯାନକୁ ଭାଜପା ୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରିବ । ଏଥିପାଇଁ ଏକ ସଂସଦୀୟ ସମିତି ଗଠନ କରାଯାଇଛି ଯାହା ଦଳର କର୍ମୀମାନଙ୍କ ପାଇଁ କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି ସମିତିର ନେତୃତ୍ୱ କୈଳାଶ ବିଜୟଭର୍ଗିୟ ନେଇଛନ୍ତି । ଏଥିରେ ରକ୍ତଦାନ ଶିବିର, ମୋଦିଙ୍କ ଜୀବନି ଉପରେ ପ୍ରଦର୍ଶନି ଆଦିର ଆୟୋଜନ କରାଯିବ । ଏହାସହ ଦଳର ସମସ୍ତ କାର୍ଯ୍ୟାଳୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପୋଷ୍ଟକାର୍ଡ ମୋଦିଙ୍କ ନିକଟକୁ ପଠାଯିବ । ଏଥିପାଇଁ ପଶ୍ଚିମବଙ୍ଗ, ଛତିଶଗଡ଼, ଜମ୍ମୁ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ଆସାମ, ବେଙ୍ଗାଲୁରୁ-କର୍ନାଟକ, ପାଟନାରେ ଏହାକୁ ବଡ ଧରଣର ପାଳନ କରାଯିବାକୁ ପ୍ରସ୍ତୁତି ହାଇଛି ।
ପଶ୍ଚିମବଙ୍ଗର ଭାଜପା ଅଧ୍ୟକ୍ଷ ଦିଲ୍ଲିପ ଘୋଷ କହିଛନ୍ତି ଦଳ ଏହି ୨୦ ଦିନ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ମୋଦିଙ୍କ ଜୀବନି ଓ ତାଙ୍କର କାର୍ଯ୍ୟଧାରାକୁ ନେଇ ପ୍ରଦର୍ଶନୀର ଆୟୋଜନ କରାଯିବ ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି ମୋଦିଙ୍କ ୨୦ ବର୍ଷର କାର୍ଯ୍ୟକାଳ ପ୍ରକୃତରେ ସେବା ଓ ସମର୍ପଣର ପ୍ରତିକ । ଆମର ଲକ୍ଷ୍ୟ ରହିଛି ମୋଦିଙ୍କ ଜନ୍ମଦିନ ଅବସରରେ ଅତିକମରେ ୫ ଲକ୍ଷ ପୋଷ୍ଟକାର୍ଡ ତାଙ୍କ ନିକଟକୁ ପଠାଇବୁ । ଅନ୍ୟପଟେ ଜମ୍ମୁରେ ବି ମୋଦିଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Share