Categories: ଜାତୀୟ

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ ଡାଟା ଓ ଆନାଲିଟିକ୍ସ କମ୍ପାନୀ ‘କଣ୍ଟର’ ଦ୍ୱାରା ଏହି ଅଧ୍ୟୟନ ପ୍ରକାଶ କରାଯାଇଛି। ସମ୍ପ୍ରତି ଦେଶର ୧୦ରୁ ୯ ଜଣ ଇଣ୍ଟରନେଟ ବ୍ୟବହାରକାରୀ କୌଣସି ନା କୌଣସି ପ୍ରକାରେ ‘ଏଆଇ’ର ବ୍ୟବହାର କରୁଥିବା ଏହି ଅଧ୍ୟୟନରେ କୁହାଯାଇଛି। ଫୋନରେ ଉତ୍କୃଷ୍ଟ କମ୍ପ୍‌ୟୁଟିଂ ଦକ୍ଷତା, କ୍ଲାଉଡ୍‌ ଭିତ୍ତିଭୂମି ଓ କନେକ୍ଟିଭିଟି କାରଣରୁ ଏହା ସମ୍ଭବ ହୋଇପାରିଛି। ଦେଶରେ ବର୍ତ୍ତମାନ ୭୨.୪ କୋଟି ଲୋକ ବିଭିନ୍ନ ଉପାୟରେ ‘ଏଆଇ’ର ବ୍ୟବହାର କରୁଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ନେଇ ଆକଳନ ହୋଇଛି। ଭାରତରେ ମୋବାଇଲ ଫୋନ୍‌ ଯୋଗେ ବିଭିନ୍ନ ପ୍ରକାର ଏଆଇ ଫିଚର ଥିବା ଆପ୍‌ଗୁଡ଼ିକୁ ବହୁଳଭାବେ ବ୍ୟବହାର କରାଯାଉଥିବା ଏହି ଅଧ୍ୟୟନରେ କୁହାଯାଇଛି। ବିଭିନ୍ନ ସୋସିଆଲ ମିଡିଆ, ଫିଟ୍‌ନେସ, ଏଣ୍ଟରଟେନ୍‌ମେଣ୍ଟ ଓ ଫାର୍ମାସୀ ଆଦି ଆପ୍ଲିକେସନଗୁଡ଼ିକରେ ସର୍ବାଧିକ ସଂଖ୍ୟାରେ ଏଆଇ ଫିଚର ରହିଛି। ତେବେ ଭାରତରେ ଏଆଇ ଟେକ୍ନୋଲୋଜୀର ବ୍ୟବହାର ୧୯ରୁ ୨୪ ବର୍ଷୀୟ ଯୁବକଙ୍କ ମଧ୍ୟରେ ବେଶି ରହିଥିବା ଅଧ୍ୟୟନରେ ପ୍ରକାଶ ପାଇଛି। ଏହି ଶ୍ରେଣୀର ଯୁବକଙ୍କ ମଧ୍ୟରେ ୯୨ ପ୍ରତିଶତ ଇଣ୍ଟରନେଟ ୟୁଜର୍ସ ଏଆଇ ବ୍ୟବହାର କରୁଥିବାବେଳେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମଧ୍ୟରେ ଏହି ସଂଖ୍ୟା ୮୧ ପ୍ରତିଶତ ରହିଛି।

Share