ଠାକୁରମୁଣ୍ଡା,୧୮ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଶନିବାର ମଧ୍ୟାହ୍ନରୁ ୨୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍ଡାଉନ୍ ନେଇ ତହସିଲଦାର ପ୍ରଦ୍ୟୁମ୍ନ ନାୟକ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖା ଦେବାରୁ ତାଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ଶନିବାର ତାଙ୍କ ଠାରେ କରୋନା ପଜିଟିଭ୍ ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ବାରିପଦା କୋଭିଡ୍ ହସ୍ପିଟାଲକୁ ନେଇଛନ୍ତି। ଆକ୍ରାନ୍ତ ଫାର୍ମାସିଷ୍ଟ ଜଣକ ସ୍ବାସ୍ଥ୍ୟକେନ୍ଦ୍ରର ଔଷଧ ବିତରଣ କେନ୍ଦ୍ର ଦାୟିତ୍ୱରେ ଥାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କ ଠାରୁ ଡାକ୍ତର ଲେଖିଥିବା ପ୍ରେସକ୍ରିପ୍ିସନ ଦେଖି ଔଷଧ ଦେଉଥିଲେ। ଅନେକ ରୋଗୀ ତାଙ୍କର ସଂସ୍ପର୍ଶରେ ଆସିଥିବାରୁ ଏହା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି। ଏଥିସହିତ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କ ସହିତ ସଂସ୍ପର୍ଶରେ ଆସିଥିବାରୁ ଆଗାମୀ ଦିନରେ ଜଟିଳ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି।