ଓବ୍ଲାଷ୍ଟରୁ ମିଳିଲା ୭ଶହ ମୃତଦେହ: ଏବେ ବି ୨୦୦ ନିଖୋଜ

କ୍ୱିଭ୍‌,୧୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୫୦ଦିନ ପୂରିବାକୁ ଯାଉଛି। କିନ୍ତୁ ୨ଦେଶର ମଧ୍ୟରେ ଜାରି ରହିଥିବା ସଂଘର୍ଷର କେବେ ଅନ୍ତ ହେବ ତାହା ଜଣାପଡ଼ୁନାହିଁ। ରୁଷିଆ ବେଳକୁ ବେଳ ଆହୁରି ଆକ୍ରମଣାତ୍ମକ ହୋଇ ୟୁକ୍ରେନର ବିଭିନ୍ନ ସହରରେ ଗୁଳିମାଡ ସହ ମିଶାଇଲ ମାଡ଼ କରୁଛି। ବୁଚାରେ ନରସଂହାର ପରେ ରୁଷିଆ ସୈନ୍ୟ ଏବେ ବି ସୁଧୁରିନାହାନ୍ତି। ବର୍ତ୍ତମାନ ବି ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି। ତେବେ ମିଳିଥିବା ଖବର ଅନୁସାରେ କେବଳ କ୍ୱିଭର ଓବ୍ଲାଷ୍ଟ ସହରରୁ ୭୨୦ଜଣ ଲୋକଙ୍କ ମୃତଦେହ ମିଳିଥିବା ବେଳେ ୨୦୦ଲୋକ ଏବେ ବି ନିଖୋଜ ଅଛନ୍ତି। ଏନେଇ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦାବି କରିଛି। ଅନ୍ୟପଟେ ୟୁକ୍ରେନ୍‌ର ଖେମ୍‌ଲେନ୍‌ସ୍ତେକି ଓ କ୍ୱିଭ୍‌ ସ୍ଥିତ ଥିବା ଗୋଳାବାରୁଦ ଡିପୋ ଉପରେ ରୁଷିଆ ଆକ୍ରମଣ କରି ଏହାକୁ ଧ୍ୱଂସ କରିଦେଇଛି। ଅନ୍ୟପଟେ ୟୁକ୍ରେନ ନିଜ ଦେଶର ବିରୋଧୀ ନେତା ତଥା ରୁଷିଆ ସମର୍ଥକ ଭିକ୍ଟର ମେଡ୍‌ଭେଡ୍‌ଚୁକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ରୁଷିଆ ଆକ୍ରମଣ ପରେ ୟୁକ୍ରେନ୍‌ରେ ଏପର୍ଯ୍ୟନ୍ତ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକ ନିଜ ପ୍ରାଣ ହରାଇସାରିଲେଣି। ଏଥିସହ ୧କୋଟିରୁ ଊର୍ଦ୍ଧ୍ୱ ଲୋକ ୟୁକ୍ରେନ୍‌ରୁ ପଳାୟନ କରି ଅନ୍ୟଦେଶଗୁଡ଼ିକରେ ଶରଣ ନେଇଛନ୍ତି।

Share