Categories: ଫୁରସତ

୭୨୦ ବର୍ଷ ପୁରୁଣା ଟାଟୁ ଦୋକାନ

ଜେରୁଜେଲମ୍‌: ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ ଟାଟୁର ଚାହିଦା ଅଧିକ ରହିଛି। ବିଭିନ୍ନ ଦେଶରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଟାଟୁ କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବହୁ ମାତ୍ରାରେ ଟାଟୁ ଦୋକାନ ଖୋଲି ଗଲାଣି। ତେବେ ସବୁଠାରୁ ପୁରୁଣା ଟାଟୁ ଦୋକାନ ଏବେ ବି ରହିଛି। ଯାହା ୭୨୦ ବର୍ଷର ପୁରୁଣା। ଯାହାର ନାମ ରହିଛି ‘ରାଜୌକ୍‌ ଟାଟୁ, ଟାଟୁ ୱିଥ୍‌ ହେରିଟେଜ୍‌ ୧୩୦୦’। ଏହାକୁ ୨୦୨୨ରେ ବିଶ୍ୱର ସବୁଠାରୁ ପୁରୁଣା ଟାଟୁ ଦୋକାନ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳି ସାରିଛି। ଏହି ଟାଟୁ ଦୋକାନ ଜେରୁଜେଲମ୍‌ର ପୁରୁଣା ସହରରେ ରହିଛି। ରିପୋର୍ଟ ମୁତାବକ, ରାଜୌକଙ୍କ ପରିବାର କପଟିକ୍‌ ଖ୍ରୀଷ୍ଟିଆନ୍‌ ହୋଇଥିବାବେଳେ ଇଜିପ୍ଟରେ ଟାଟୁ ଏକ ପୁରୁଣା ଚିରାଚରିତ ପ୍ରଥା ଭାବେ ପ୍ରଚଳିତ। ସେଠାରେ ଟାଟୁ କରି ନିଜ ଧର୍ମକୁ ଦର୍ଶା ଯାଉଥିଲା। ୬୪୦ମସିହା ବେଳକୁ ଇଜିପ୍ଟରେ ଧର୍ମ ପରିବର୍ତ୍ତନ ପାଇଁ ଖ୍ରୀଷ୍ଟିଆନମାନଙ୍କୁ ବହୁ ମାତ୍ରାରେ ବାଧ୍ୟ କରାଯାଉଥିଲା। ସେତେବେଳେ ସେମାନେ ଟାଟୁ କରି ନିଜକୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ହେବାକୁ ବଞ୍ଚାଉଥିଲେ। ଯେତେବେଳେ ରାଜୌକ ପରିବାର ଇଜିପ୍ଟରୁ ଜେରୁଜେଲମ୍‌ ଗଲେ ସେତେବେଳେ ସେମାନେ ଏହି ପ୍ରଥାକୁ ବଳବତ୍ତର ରଖିଲେ। ପରେ ତାଙ୍କ ପରିବାର ବର୍ଷ ୧୩୦୦ରେ ଟାଟୁ ଦୋକାନ ଆରମ୍ଭ କଲେ। ଏବେ ତାଙ୍କ ପରିବାରର ୨୭ତମ ପିଢି ଚାଲିଥିବା ସୂଚନା ମିଳିଛି।

Share