Categories: ଫୁରସତ

କର୍ମଚାରୀଙ୍କୁ ମାଲିକ ବାଣ୍ଟିଦେଲେ ୭୩ କୋଟି, କାରଣ ଜାଣିଲେ…

ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଏକ ଭଲ କମ୍ପାନୀ ମିଳିବା ନିଶ୍ଚିତ ସୌଭାଗ୍ୟର କଥା। କୌଣସି କମ୍ପାନୀରେ କର୍ମଚାରୀମାନଙ୍କର ଦୀର୍ଘକାଳୀନ କାର୍ଯ୍ୟ ଅନେକ ଜିନିଷ ଉପରେ ନିର୍ଭର କରେ। ଯେପରିକି ଦରମା ବୃଦ୍ଧି ଏବଂ ବୋନ୍‌ସ ତଥା ଅନ୍ୟାନ୍ୟ ବିଶେଷ ସୁବିଧା ମିଳିଲେ କର୍ମଚାରୀ ଖୁସି ଥାନ୍ତି।

ଏବେ ଏମିତି ଏକ କମ୍ପାନୀ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଯାହା ଏହାର କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୭୩ କୋଟି ଟଙ୍କା ବଣ୍ଟନ କରିଛି, ଏହାର କାରଣ ମଧ୍ୟ ସ୍ବତନ୍ତ୍ର।
ଚାଇନାର ଏକ ନିଗମ ଏହାର କର୍ମଚାରୀମାନଙ୍କୁ ବର୍ଷ ଶେଷ ପ୍ରୋତ୍ସାହନ ପରି ଏତେ ଟଙ୍କା ଦେଇଛି, ଯାହା କେହି କେବେ ଭାବି ନ ଥିବେ। ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଏକ କମ୍ପାନୀ ପାର୍ଟି ସମୟରେ ମଞ୍ଚ ଉପରେ ଏକ ଟଙ୍କା ଗଦା ରଖିଛନ୍ତି। କମ୍ପାନୀର ମାଲିକ ତାଙ୍କ କର୍ମଚାରୀଙ୍କ ମଧ୍ୟରେ ୬୧ ମିଲିୟନ ୟୁଆନ (୭୩,୭୮,୭୮,୯୩୯ଟଙ୍କା) ବ୍ୟାଙ୍କ ନୋଟ ବଣ୍ଟନ କରିଥିଲେ।

ବାସ୍ତବରେ, କମ୍ପାନୀ ପ୍ରଥମେ ଏକ ମଞ୍ଚ ତିଆରି କରିଥିଲା ଏବଂ ସେହି ମଞ୍ଚରେ ୨ ମିଟର ଉଚ୍ଚ ନୋଟ୍‌ ଗଦା ରଖିଥିଲା। ଯେଉଁଥିରେ ୬୧ ମିଲିୟନ ୟୁଆନ ଅର୍ଥାତ୍‌ ୭୦ କୋଟିରୁ ଅଧିକ ଥିଲା। ତା’ପରେ ଗୋଟିଏ ପରେ ଗୋଟିଏ ବିଡ଼ା ନୋଟ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ ହେଲା। ଏହି ମାମଲା ଚାଇନାର ହେନାନ ପ୍ରଦେଶ ସହିତ ସମ୍ପୃକ୍ତ ଏବଂ କର୍ମଚାରୀମାନଙ୍କୁ ନୋଟ୍‌ ବଣ୍ଟନ କରୁଥିବା କମ୍ପାନୀର ନାମ ହେଉଛି ହେନାନ ମାଇନ, ଯାହାକି କ୍ରେନ ଉତ୍ପାଦନକାରୀ କମ୍ପାନୀ।

ବର୍ଷ ଶେଷରେ କମ୍ପାନୀ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ୪୦ ବିକ୍ରୟ ପରିଚାଳକଙ୍କୁ ମୋଟ୍‌ ୬୧ ମିଲିୟନ ୟୁଆନ ପ୍ରଦାନ କରାଯାଇଥିଲା। ଭିଡିଓଟି କମ୍ପାନୀ ସୋସିଆଲ ମିଡିଆ ପେଜ୍‌ରେ ଶେୟାର କରିଥିଲା। ଯେଉଁଥିରେ ପାହାଡ଼ ଆକାରର ଟଙ୍କା ଗଦା କରି ରଖାଯାଇଥିଲ। ପରେ ଏହା କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

କରୋନା ସମୟରେ ମଧ୍ୟ ଉକ୍ତ କମ୍ପାନୀ ଏହି ଆର୍ଥିକ ବର୍ଷରେ ଲାଭବାନ ହୋଇଛି। ଗତ ଆର୍ଥିକ ବର୍ଷ ତୁଳନାରେ କମ୍ପାନୀ ଏଥର ୨୩ ପ୍ରତିଶତ ଅଧିକ ଲାଭ କରିଛି। ବିଶେଷ କଥା ହେଉଛି କମ୍ପାନୀ କର୍ମଚାରୀଙ୍କ ହାରାହାରି ବେତନକୁ ପ୍ରତିବର୍ଷ ୩୦ ପ୍ରତିଶତ ବୃଦ୍ଧି କରିଛି।

ହେନାନ ନାମକ ଏହି ମାଇନ କମ୍ପାନୀ ୫୧୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି ଏବଂ ୨୦୨୨ରେ୯.୧୬ ବିଲିୟନ ୟୁଆନ (US $ ୧.୧ ବିଲିୟନ)ର ଆୟ କରିଥିଲା। ଯାହା ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ଅଧିକ। ଏହି ଖୁସିରେ କର୍ମଚାରୀଙ୍କୁ ଏତେ ଟଙ୍କା ବଣ୍ଟନ କରାଯାଇଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share