ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ, ପ୍ରଶ୍ନ ଉଠାଇଲା ଭାଜପା, କହିଲା ରାଜ୍ୟ ସରକାର…

ଭୁବନେଶ୍ୱର,୩୦।୩: ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ ମୁତୟନ ହେଉଛନ୍ତି। ଯେଉଁଥିରେ ୨ ସବଇନ୍ସପେକ୍ଟର, ୧୨ ହାବିଲଦାର, ୫୬ କନଷ୍ଟେବଳ ଓ ୪ ମହିଳା କନଷ୍ଟେବଳ ଅଛନ୍ତି। ଏଥିସହ ଗୋଟିଏ ଗାଡି ଗୃହ ବିଭାଗ ମଧ୍ୟ ଯୋଗାଇଛି। ଏଥିସହିତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ ସିକ୍ୟୁରିଟି ଅଫିସର୍‌ ମଧ୍ୟ ନିଯୁକ୍ତ କରାଯାଇଛି। ତେବେ ଏହାକୁ ନେଇ ଭାଜପା ପ୍ରଶ୍ନ ଉଠାଇଛି। ବିଜେଡିର ଜଣେ ସାଧାରଣ କର୍ମୀଙ୍କୁ କାହିଁକି ଏତେ ସୁରକ୍ଷା ଦିଆଯାଇଛି ଏବଂ ଏନେଇ ରାଜ୍ୟ ପୋଲିସ ଡିଜି ଓ ଗୃହ ସଚିବଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶ୍ନ କରିଛନ୍ତି କି ବୋଲି ଭାଜପା କହିଛି।

ରାଜ୍ୟ ଭାଜପାର ବରିଷ୍ଠ ନେତା ସୁରଥ ବିଶ୍ୱାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ହେଲେ ରାଜ୍ୟ ସରକାର ଏହାକୁ ଉଲ୍ଲଘଂନ କରୁଛନ୍ତି। ତେଣୁ ରାଜ୍ୟରେ ନିରପେକ୍ଷ ନିର୍ବାଚନ ହୋଇପାରିବ କି ନାହ, ସେନେଇ ସନ୍ଦେହ ରହିଛି। ନିର୍ବାଚନ ଘୋଷଣା ହେବାପରେ ରାଜ୍ୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଅଛି। ଏପରିକି ଅନ୍ୟ ମନ୍ତ୍ରୀମାନଙ୍କୁ ବି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉନାହିଁ। ହେଲେ ପାଣ୍ଡିଆନଙ୍କୁ କାହିଁକି ସୁରକ୍ଷା ଦିଆଯାଇଛି।

Share