ନୂଆଦିଲ୍ଲୀ,୧୮ା୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ପରିଗଣିତ ହେଉଛି। ଏପରିକି ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବରରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ ଗ୍ରାହକ ଓ ୮୦୦୦ରୁ ଅଧିକ ଜିଓ ଫାଇବର ଗ୍ରାହକ ଯୋଡ଼ି ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି। ବିଶେଷକରି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ଉପରୋକ୍ତ ବିଷୟରେ ଉଲ୍ଲେଖ କରାଯାଇଛି। ସେହିଭଳି ଓଡ଼ିଶା କ୍ଷେତ୍ରରେ ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଭାବେ ୨୦୨୨ ଡିସେମ୍ବରରେ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ସେବା ପ୍ରଦାନକାରୀ ଯଥା ଏୟାରଟେଲ୍, ବିଏସ୍ଏନ୍ଏଲ୍ ଓ ଭୋଡାଫୋନ୍ ଆଇଡିଆ ଉକ୍ତ ମାସରେ ନିଜର ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଓ ଓୟାରଲାଇନ୍ ଗ୍ରାହକ ଯୋଡ଼ିବା ଜାରି ରଖି ରାଜ୍ୟରେ ସର୍ବାଧିକ ୧.୩୯ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଏବଂ ୧.୯୧ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକଙ୍କ ସହ ନିଜର ୧ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।