ଭଙ୍ଗାଗଲା ୭୪ ବାସଗୃହ, ୨ ଦୋକାନ

କଟକ ଅଫିସ, ୮ା୪: କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବୁଧବାର ମହାନଦୀ ହାଡିଆପଠାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦବେଳେ ୭୪ଟି ବାସଗୃହ, ଦୁଇଟି ଗୁହାଳ ଓ ଦୁଇଟି ଦୋକାନ ଭଙ୍ଗା ଯାଇଥିଲା। ତେବେ ଏହି ଉଚ୍ଛେଦରେ ପ୍ରଭାବିତଙ୍କୁ ଜଗତ୍‌ପୁରର ଲଖନପୁରଠାରେ ୧୦ ଫୁଟ ଲମ୍ବ ୧୦ ଫୁଟ୍‌ ଓସାରରେ ଅସ୍ଥାୟୀ କ୍ୟାମ୍‌ରେ ସିଏମ୍‌ସି ପକ୍ଷରୁ ଥଇଥାନ କରାଯାଇଛି। ଏଥିସହ ବିସ୍ଥାପିତଙ୍କୁ ସିଏମ୍‌ସି ପକ୍ଷରୁ ୫୦,୦୦୦ ଟଙ୍କା ଓ ଭଙ୍ଗା ଯାଇଥିବା ଦୋକାନ ଓ ଗୁହାଳ ମାଲିକଙ୍କୁ ୨୦,୦୦୦ ଟଙ୍କାର ସହାୟତା ରାଶି ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଛି। ସେଠାରେ ସେମାନଙ୍କୁ ୮ ଦିନ ପାଇଁ ରନ୍ଧାଖାଦ୍ୟ ଓ ଓଷଧ ଯୋଗାଇ ଦିଆଯିବ। ସେମାନଙ୍କୁ ସେଠାରେ ୧୫ଫୁଟ ଲମ୍ବ ୧୫ ଫୁଟ୍‌ ଓସାରର ବାସୋପଯୋଗୀ ପ୍ଲଟ୍‌ ପୂର୍ବରୁ ଯୋଗାଇ ଦିଆଯାଇଛି। ସିଏମ୍‌ସି ପକ୍ଷରୁ ବିସ୍ଥାପିତଙ୍କର ଆସବାବପତ୍ର ନେବା ପାଇଁ ୧୨ଟି ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ଏହି ଉଚ୍ଛେଦ ସମୟରେ ସିଏମ୍‌ସି ଡେପୁଟି କମିଶନର ଅବିନାଷ ରାଉତ, ଜୋନ୍‌-୨ ଏସିପି ଏସ୍‌କେ ସରିଫଉଦ୍ଦିନ, ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର, ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ସମେତ ୩ ପ୍ଲାଟୁନ ଫୋର୍ସ ରହିଥିଲେ।

Share