ନବରଙ୍ଗପୁର ଅଫିସ,୨୬ା୧(ବି.ପ୍ର.): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ଯୋଗ ଦେଇ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବାହିନୀ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ୧୭ଟି ସଂଗଠନ ପକ୍ଷରୁ ପରେଡରେ ଅଂଶଗ୍ରହଣ କରିଥିଲେ। ଏଥିସହ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରି ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ସହ ଭାରତୀୟ ସ୍ବାଧୀନତା
ସଂଗ୍ରାମରେ ନବରଙ୍ଗପୁର ଜିଲାର ଭୂମିକା ସମ୍ବନ୍ଧରେ ସୂଚନା ଦେଇଥିଲେ। ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି।