ନୂଆପଡ଼ାରେ ଟ୍ରମା କେୟାର ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେୟାର ସେଣ୍ଟର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିୟମାବଳୀ ଅନୁଯାୟୀ, ଏଥିରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ, ଆଇ. ସି. ୟୁ. ପର୍ଯ୍ୟବେକ୍ଷଣ କକ୍ଷ, ଲ୍ୟାବ୍‌ ଓ ଇମେଜିଂ ଆଦିର ବ୍ୟବସ୍ଥା ରହିବ ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ୧୦୬ଟି ଟ୍ରମା କେୟାର ସେଣ୍ଟର୍‌ ବ୍ୟବସ୍ଥା କରାଯାଇଛି। ଏସବୁରେ ୧୫୬୦ଟି ଶଯ୍ୟା ରହିଛି। ଏତଦ୍‌ବ୍ୟତୀତ ୧୮ଟି ଘରୋଇ ସ୍ପେଶାଲିଷ୍ଟ ହସ୍ପିଟାଲର ଟ୍ରମା କେନ୍ଦ୍ରକୁ ମଧ୍ୟ ଟ୍ରମା କେୟାର ଚିକିତ୍ସା ନିମନ୍ତେ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଘରୋଇ ହସ୍ପିଟାଲ ଟ୍ରମା ସେଣ୍ଟରଗୁଡ଼ିକରେ ଦେୟମୁକ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଟ୍ରମା କେୟାର୍‌ ଦେୟମୁକ୍ତ ଚିକିତ୍ସା ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯାଇଛି।

Share