ନିର୍ବାଚନ ପାଇଁ ଓଡ଼ିଶାରେ ୭୫ କମ୍ପାନୀ ସିଏପିଏଫ୍‌

ଭୁବନେଶ୍ୱର,୧୨।୩(ସତ୍ୟଜିତ୍‌ ରାଉତ):ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ୭୫ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ୍‌ ଫୋର୍ସ (ସିଏପିଏଫ୍‌) ଯୋଗାଇ ଦିଆଯାଇଛି। ଏହି କମ୍ପାନୀଗୁଡ଼ିକର ଓଡ଼ିଶା କୋ-ର୍ଡିନେଟର୍‌ ଦାୟିତ୍ୱରେ ଥିବା ସିଆର୍‌୍‌ପିଏଫ୍‌ ଆଇଜି ଅର୍ଚ୍ଚନା ସିଭାରେ ସୋମବାର ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ସିଭାରେ କହିଛନ୍ତି, ଓଡ଼ିଶାରେ ମାଓବାଦୀ ହିଂସା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଫଳରେ ନିର୍ବାଚନ ବେଳେ ଶାନ୍ତ ପରିବେଶରେ ଜନସାଧାରଣ ଭୟମୁକ୍ତ ହୋଇ ମତଦାନ କରିପାରିବେ। ଏଥିପାଇଁ ନିର୍ବାଚନ କମିଶନ ଓଡ଼ିଶା ପାଇଁ ୭୫ କମ୍ପାନୀ ସିଏପିଏଫ୍‌ ଦେଇଛନ୍ତି। ଏଥିମଧ୍ୟରେ ୩୫ କମ୍ପାନୀ ବିଏସ୍‌ଏଫ୍‌, ୩୫ କମ୍ପାନୀ ସିଆର୍‌ପିଏଫ୍‌ ଏବଂ ୫ କମ୍ପାନୀ ସିଆଇଏସ୍‌ଏଫ୍‌ ରହିଛନ୍ତି। ଏସବୁ କମ୍ପାନୀକୁ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳକୁ ଦୃଷ୍ଟିରେ ରଖାଯାଇ ନିୟୋଜିତ କରାଯାଇଛି। ଗତ ମାର୍ଚ୍ଚ ୧ ଏବଂ ୭ରେ ଦୁଇଟି ପର୍ଯ୍ୟାୟରେ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ଏବଂ ଅଧିକ ସମ୍ବେଦନଶୀଳ ଅଞ୍ଚଳକୁ ଦୃଷ୍ଟିରେ ରଖି ଆମେ ରାଜ୍ୟ ପୋଲିସ ସହ ନିୟମିତ ସମନ୍ବୟ ବୈଠକ କରୁଛୁ। ହିଂସାମୁକ୍ତ ନିର୍ବାଚନ କରିବାକୁ କେନ୍ଦ୍ରୀୟ ସୁରକ୍ଷା ବଳ ଓ ରାଜ୍ୟ ପୋଲିସ ମିଳିତ ଭାବେ କାର୍ଯ୍ୟ କରୁଛି। ଲୋକଙ୍କ ମନରୁ ଭୟ ଦୂର କରିବାକୁ ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ, ମାଓବାଦୀ ବିରୋଧୀ ଅଭିଯାନ ଆଦି ଜାରି ରହିଛି। ସୀମାରେ ମାଓବାଦୀ ଅନୁପ୍ରବେଶ ଆଶଙ୍କାକୁ ଦୃଷ୍ଟିରେ ରଖି ୨୦୨୩ରୁ ସିଆର୍‌ପିଏଫ୍‌ ୪ଟି ନୂଆ କ୍ୟାମ୍ପ୍‌ ସ୍ଥାପନ କରିଛି। ସେଠାରେ ସ୍ବତନ୍ତ୍ର କମାଣ୍ଡୋ ୟୁନିଟ୍‌ (କୋବ୍ରା) ମୁତୟନ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନାକୁ ଉପାନ୍ତ ଅଞ୍ଚଳରେ ପହଞ୍ଚାଇବାକୁ ସିଆର୍‌ପିଏଫ୍‌ ପକ୍ଷରୁ ପ୍ରୟାସ ଜାରି ରଖିଥିବା ସିଭାରେ କହିଛନ୍ତି।

Share