Categories: ଜାତୀୟ

୧୦୫ ଘଣ୍ଟାରେ ୭୫ କି.ମି. ରାଜପଥ

ନୂଆଦିଲ୍ଲୀ, ୯ା୬: ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ପର୍ଯ୍ୟନ୍ତ ୭୫ କିଲୋମିଟର ରାସ୍ତା ଖୁବ୍‌ କମ୍‌ ସମୟରେ ଶେଷ ହୋଇଥିବା ଦୀର୍ଘତମ ରାଜପଥ ଭାବେ ବିଶ୍ୱ ରେକର୍ଡ କରିଛି। ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଦ୍ୱାରା ମାତ୍ର ୧୦୫ ଘଣ୍ଟା ୩୩ ମିନିଟ୍‌ରେ ନିର୍ମିତ ଏହି ରାଜପଥ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହୋଇଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର କହିଛନ୍ତି। ଏହି ସିଙ୍ଗଲ ଲେନ୍‌ ପିଚୁରାସ୍ତା ୩୭.୫ କିଲୋମିଟରର ଦୁଇ ଲେନ୍‌ ବିଶିଷ୍ଟ ପେଭ୍‌ଡ ସୋଲ୍‌ଡର ରୋଡ୍‌ ସହ ସମାନ ବୋଲି ଗଡ଼କରୀ ଟୁଇଟ୍‌ କରିଛନ୍ତି। ଏଥିସହ ଓ୍ବାଲର୍‌ଡ ରେକର୍ଡ ପାଇଁ ରାଜପଥ ନିର୍ମାଣରେ ଲାଗିଥିବା ସମସ୍ତ ଇଞ୍ଜିନିୟର୍‌, କଣ୍ଟ୍ରାକ୍ଟର ସମେତ ଭିତ୍ତିଭୂମି ନିର୍ମାଣକାରୀ ଘରୋଇ କମ୍ପାନୀକୁ ଗଡ଼କରୀ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଅନୁସାରେ, ଜୁନ୍‌ ୩ ପୂର୍ବାହ୍ନ ୭ଟା ୨୭ରେ ରାସ୍ତା ନିର୍ମାଣ ଆରମ୍ଭ ହୋଇ ଜୁନ୍‌ ୭ ଅପରାହ୍ନ ୫ଟାରେ ଶେଷ ହୋଇଥିଲା। ଏଥିରେ ୭୨୦ ଶ୍ରମିକ ନିୟୋଜିତ ହୋଇଥିଲେ। ୨୦୧୯ ଫେବୃୟାରୀରେ କାତାର ରାଜଧାନୀ ଦୋହାରେ ୨୫.୨୭୫ କିଲୋମିଟର ରାସ୍ତା ବିଶ୍ୱ ରେକର୍ଡ କରିଥିଲା। ଏଥିପାଇଁ ୧୦ ଦିନ ଲାଗିଥିଲା ବୋଲି ଗଡ଼କରୀ କହିଛନ୍ତି। ଏବେ ଭାରତ ଏହି ରେକର୍ଡ ଭାଙ୍ଗିଛି। ଅମରାବତୀ-ଅକୋଲା ରାଜପଥ ଏନ୍‌ଏଚ୍‌-୫୩ର ଅଂଶ। ଏହି ଗୁରୁତ୍ୱପୂର୍ଣ ପୂର୍ବ କରିଡର କୋଲକାତା, ରାୟପୁର, ନାଗପୁର, ସୁରଟ ଭଳି ପ୍ରମୁଖ ସହରକୁ ଯୋଡ଼ିଥାଏ।

Share