Categories: ଜାତୀୟ

ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରୋକକୁ ପ୍ରତ୍ୟାହାର କରିଛନ୍ତି। ୪ ସପ୍ତାହ ମଧ୍ୟରେ ଏହି ବିଷୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ ଶୀର୍ଷ କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରି ନ ଥିବା ଶିଳ୍ପ ସଂସ୍ଥାଗୁଡିକ ଉପରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରା ନ ଯାଉ। ହରିୟାଣା ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ହାଇକୋର୍ଟ ଏହାର ମାମଲା ଉପସ୍ଥାପନ କରିବାର ସୁଯୋଗ ନ ଦେଇ ଏକତରଫା ଭାବେ ଆଇନ ଉପରେ ରୋକ ଲାଗୁ କରିଛନ୍ତି।

ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ବେସରକାରୀ କ୍ଷେତ୍ରରେ ୭୫ ପ୍ରତିଶତ ଚାକିରୀ ସଂରକ୍ଷିତ ରଖିବା ଆଇନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ପରେ ହରିୟାଣା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହରିୟାଣା ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ୭୫ ପ୍ରତିଶତ ସ୍ଥାନୀୟ ସଂରକ୍ଷଣ ପ୍ରସଙ୍ଗକୁ ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ଗତ ମାସରେ ରାଜ୍ୟ ସରକାର ସ୍ଥାନୀୟ ନିଯୁକ୍ତି ଆଶାୟୀ ଆଇନ-୨୦୨୦ (ହରିୟାଣା ରାଜ୍ୟ ନିଯୁକ୍ତି ଆଇନ-୨୦୨୦) କୁ ନିଯୁକ୍ତି ବିଷୟରେ ସୂଚିତ କରିଥିଲେ। ଏହି ନିୟମ ଅନୁଯାୟୀ, ରାଜ୍ୟର ଚାକିରିରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ଏନେଇ ଏକ ପୋର୍ଟାଲ ମଧ୍ୟ ସୃଷ୍ଟି କରିଛନ୍ତି ଯେଉଁଠାରେ କମ୍ପାନୀମାନଙ୍କୁ ନିଯୁକ୍ତି ବିଷୟରେ ସୂଚନା ଦେବାକୁ ପଡିବ ଏବଂ ସରକାର ଏହାର ତଦାରଖ କରିବେ।

 

Share