୭୫ ବର୍ଷ ତଳେ ରାଓ୍ବଲପିଣ୍ଡିରୁ ଅମୃତସର ଟ୍ରେନ ଭଡ଼ା ମାତ୍ର ୪ ଟଙ୍କା…

ନୂଆଦିଲ୍ଲୀ/ଇସଲାମାବାଦ,୨୩।୧ : ଭାରତ ଏବଂ ପାକିସ୍ତାନର ସ୍ବାଧୀନତା ସମୟ ଏକ ରେଳ ଟିକଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟିକଟ ପାକିସ୍ତାନର ରାୱଲପିଣ୍ଡି ଏବଂ ଅମୃତସର ମଧ୍ୟରେ ଟ୍ରେନ ଯାତ୍ରା ପାଇଁ ଉଦ୍ଦିଷ୍ଟ। ରାୱଲପିଣ୍ଡି ଠାରୁ ଅମୃତସର ମଧ୍ୟରେ ଦୂରତା ୨୭୬ କିଲୋମିଟର। ଏହି ରେଳ ଟିକଟରେ ମୋଟ ନଅ ଜଣଙ୍କ ନାମ ଲେଖାଯାଇଛି।

କିନ୍ତୁ, ଏହାର ମୂଲ୍ୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ସେତେବେଳେ ପାକିସ୍ତାନର ରାୱଲପିଣ୍ଡିରୁ ଭାରତର ଅମୃତସର ପର୍ଯ୍ୟନ୍ତ ନଅ ଜଣଙ୍କ ପାଇଁ ଟ୍ରେନ ଟିକଟର ମୂଲ୍ୟ ମାତ୍ର ୩୬ ଟଙ୍କା ଏବଂ ୯ ଅଣା ଥିଲା। ଅର୍ଥାତ୍‌ ଜଣଙ୍କ ପାଇଁ ଟିକଟ ମୂଲ୍ୟ ମାତ୍ର ୪ ଟଙ୍କା ଏକ ଅଣା। ଲୋକମାନେ ଏହାକୁ ବର୍ତ୍ତମାନ ଟିକେଟ ମୂଲ୍ୟ ସହିତ ତୁଳନା କରି ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି।

ଏହି ଭାଇରାଲ ଟ୍ରେନ ଟିକେଟ ପାକିସ୍ତାନ ରେଳ ଲଭର୍ସ ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ଦ୍ୱାରା ଏହାର ଫେସବୁକ ପେଜରେ ପୋଷ୍ଟ କରାଯାଇଥିଲା। ଏହି ଟ୍ରେନ ଟିକେଟ ୧୭ ସେପ୍ଟେମ୍ବର ୧୯୪୭ ରେ କିଣାଯାଇଥିଲା। ଏକ କଲମ ବ୍ୟବହାର କରି ଷ୍ଟାମ୍ପଟି ସମ୍ପୁର୍ଣ୍ଣ ଭାବରେ ହାତରେ ତିଆରି କରାଯାଇଥିଲା। ଟିକେଟ ରେ ଏହା ଲେଖାଯାଇଛି ଯେ ଏହା ଏସି -୩କୋଚ ପାଇଁ ଅଟେ । ଲୋକମାନେ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ଯେ ସ୍ବାଧୀନତା ପୂର୍ବରୁ ପାକିସ୍ତାନରେ ଉତ୍ତର ପଶ୍ଚିମ ରେଲୱେ ଜୋନ ଥିଲା। କେହି କେହି ଅନୁମାନ କରିଛନ୍ତି ଯେ ଏହି ଟିକେଟ ଜଣେ ବିଦେଶୀ ନାଗରିକଙ୍କର ଅଟେ। ଯଦିଓ ଏହା ପୂର୍ବରୁ ପାକିସ୍ତାନରୁ ଭାରତକୁ ଟିକେଟ କିଣିବା ସହଜ ଥିଲା, କିନ୍ତୁ ବର୍ତ୍ତମାନ ତାହା ନୁହେଁ।

୧୪ ଅଗଷ୍ଟରେ ପାକିସ୍ତାନ ଏବଂ ୧୫ ଅଗଷ୍ଟ ୧୮୪୭ ରେ ଭାରତ ସ୍ବାଧୀନତା ପାଇଲା। ଏହି ସମୟ ମଧ୍ୟରେ ବିଭାଜନ ଯୋଗୁ କୋଟି କୋଟି ଲୋକ ପାକିସ୍ତାନ ଛାଡି ଭାରତ ଆସିଥିଲେ। ଏହି ଟିକଟ ସେଭଳି କୌଣସି ଲୋକଙ୍କର ହୋଇଥାଇପାରେ ବୋଲି ଏକ ସମ୍ଭାବନା ଅଛି। କିଛି ୟୁଜର କହିଛନ୍ତି ଯେ ଏହି ଟିକେଟ ନିଶ୍ଚିତ ଭାବରେ ଏକ ଧନୀ ପରିବାର କିଣିଛି। ଏଥି ସହିତ, କିଛି ୟୁଜର ମନ୍ତବ୍ୟ ଦେଇଛନ୍ତି ଯେ ସେହି ସମୟ ତୁଳନାରେ ଏହି ଟିକେଟ ବହୁତ ମହଙ୍ଗା।

Share