Categories: ଖେଳ

ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟକୁ ୭୫ ବର୍ଷ

କୋଝିକୋଡ଼େ, ୧୦।୮: ସ୍ବାଧୀନ ହେବାପରେ ଭାରତୀୟ ପୁରୁଷ ହକି ଦଳ ୧୯୪୮ରେ ପ୍ରଥମଥରପାଇଁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଭାରତୀୟ କ୍ରୀଡ଼ାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା। ଫାଇନାଲରେ ଭାରତ ୪-୦ ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରିଥିଲା। ସ୍ବାଧୀନ ଭାରତର ଏହାଥିଲା ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ। ଏହାକୁ ଏବେ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ୧୯୪୮ ହକି ଦଳର କିମ୍ବଦନ୍ତୀ ଖେଳାଳିମାନଙ୍କୁ ସମ୍ମାନ ଜଣାଇ କେରଳର କାଲିକଟସ୍ଥିତ ମାଲବାର ଖ୍ରିଷ୍ଟିଆନ କଲେଜର ଇତିହାସ ବିଭାଗ ମୁଖ୍ୟ ଡ. ବଶିଷ୍ଟ ଏବଂ ତାଙ୍କ ଛାତ୍ରୀ ଅକ୍ଷୟା ଏକ ବ୍ୟାନର ପ୍ରସ୍ତୁତ କରିଛନ୍ତି। ”ଭାରତୀୟ ହିରୋଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆମେ ଏହି ବ୍ୟାନର ପ୍ରସ୍ତୁତ କରିଛୁ“ ବୋଲି ବଶିଷ୍ଟ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଆର୍ଜେଣ୍ଟିନା, ଅଷ୍ଟ୍ରିଆ ଓ ସ୍ପେନ୍‌ ସହିତ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଭାରତ ୩ ମ୍ୟାଚରୁ ୩ ବିଜୟ ସହ ଟେବୁଲରେ ଶୀର୍ଷସ୍ଥାନ ଅଧିକାର କରିଥିଲା। ସେମିଫାଇନାଲରେ ଦଳ ନେଦରଲାଣ୍ଡ୍ସକୁ ୨-୧ରେ ହରାଇଥିବାବେଳେ ଫାଇନାଲରେ ବ୍ରିଟେନକୁ ପରାଜୟ ସ୍ବାଦ ଚଖାଇଥିଲା। ସ୍ବର୍ଣ୍ଣ ପଦକ ମ୍ୟାଚରେ ଭାରତ ପକ୍ଷରୁ ବଲବୀର ସିଂ ସିନିୟର ୩ ଓ ୫୫ତମ ମିନିଟରେ ୨ଟି ଏବଂ ପ୍ୟାଟ୍ରିକ ଆନ୍ଥୋନୀ ଜାନସେନ ୧୦ ଓ ତର୍ଲୋଚନ ସିଂ ବାଓ୍ବା ୬୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

Share