୩ ବର୍ଷରେ ୭୫୦ ସଡ଼କ ଦୁର୍ଘଟଣା, ୨୬୪ ମୃତ

ଖୋର୍ଦ୍ଧା ଅଫିସ, ୧ା୧:ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ତାଳଦେଇ ମୃତ୍ୟୁହାର ମଧ୍ୟ ବଢିଚାଲିଛି। ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ନୂତନ ମୋଟରଯାନ ସଂଶୋଧନ ଆଇନ ୨୦୧୯ କାର୍ଯ୍ୟକାରୀ କରିଛନ୍ତି। ଖୋର୍ଦ୍ଧା ଜିଲା ପୋଲିସର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲାରେ ଗତ ୩ ବର୍ଷ ମଧ୍ୟରେ ୭୫୦ଟି ଦୁର୍ଘଟଣା ଘଟିଥିବା ବେଳେ ୨୬୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାଇକ ଚାଳକଙ୍କ ସଂଖ୍ୟା ସବୁଠୁ ଅଧିକ। ୨୦୧୮ରେ ୨୭୨ ଦୁର୍ଘଟଣାରେ ୧୨୦ଜଣଙ୍କ ଜୀବନ ଯାଇଥିଲା। ୧୯୬ଜଣ ଗିରଫ ହୋଇଥିଲେ। ୨୦୧୯ରେ ୨୭୫ ଦୁର୍ଘଟଣାରେ ୧୬୬ଜଣ ପ୍ରାଣ ହରାଇଥିଲେ। ୧୮୧ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୨୦ ନଭେମ୍ବର ୩୦ ସୁଦ୍ଧା ୨୦୩ ଦୁର୍ଘଟଣା ଘଟିଥିବା ବେଳେ ୧୫୨ଜଣଙ୍କୁ ଗିରଫ କରାଯାଇଛି। ପ୍ରତିବର୍ଷ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବାରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କରୋନା କଟକଣା ଯୋଗୁ ମୋଟର ଯାନ ଚେକିଂ ବନ୍ଦ ରହିଥିଲା। ଜାନୁୟାରୀ ୧ରୁ ଏହାକୁ କଡ଼ାକଡ଼ି କରାଯିବ ବୋଲି ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି।
ଅଧିକାଂଶ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟୁଥିବା ନଜରକୁ ଆସୁଛି। ଅନେକ ବାଇକ ଚାଳକ ହେଲମେଟ ପରିଧାନ କରୁନାହାନ୍ତି। ଫଳରେ ବିପଦକୁ ଡାକୁଛନ୍ତି। ଏଣୁ ଜାନୁୟାରୀ ୧ରୁ କଡ଼ାକଡ଼ି ଯାଞ୍ଚ ହେବ। ବିନା ହେଲ୍‌ମେଟରେ ବୁଲିଲେ, ଜରିମାନା ଆଦାୟ କରାଯିବ। ବାଇକ ପଛରେ ବସିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ସହରର ପ୍ରବେଶ ପଥ, ସମସ୍ତ ଥାନା ଅଞ୍ଚଳରେ ମୋଟରଯାନ ଯାଞ୍ଚ ତ୍ୱରାନ୍ବିତ କରାଯିବ। ଚଳିତବର୍ଷ ସଡ଼କ ଦୁର୍ଘଟଣା ରୋକିବା ଲାଗି ଅଧିକ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ। ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ବହୁ ଦୁର୍ଘଟଣା ଘଟୁଛି। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। କୌଣସି ସ୍ଥାନରେ ନାବାଳକ ବାଇକ ଚଳାଇବାବେଳେ ଧରାପଡିଲେ, ନୂତନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ। କିଛିଦିନ ତଳେ କୁହୁଡ଼ିିରେ ଜଣେ ନାବାଳକଙ୍କଠାରୁ ୧୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଇଏସ୍‌ଆଇ ମାର୍କ ଥିବା ହେଲମେଟ ପିନ୍ଧିବା ଓ ନାବାଳକଙ୍କୁ ବାଇକ୍‌ ନ ଦେବା ଲାଗି ଅଭିଭାବକମାନଙ୍କୁ ଏସ୍‌ପି ପରାମର୍ଶ ଦେଇଛନ୍ତି। ଡିସେମ୍ବରରେ ମୋଟରଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ୪୧୯ଜଣଙ୍କଠାରୁ ୩,୧୬,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୯୬ଜଣଙ୍କ ଲାଇସେନ୍ସ ରଦ୍ଦ ଲାଗି ସୁପାରିସ କରାଯାଇଛି। ବାଇକ ଚେକିଂକୁ କଡ଼ାକଡ଼ିି କରାଯିବ ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି।

Share