କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟର ଜିଲା ଓ ବ୍ଲକ ପ୍ରଶାସନ ଭୋଟରଙ୍କୁ ଗାଡିରେ ମତଦାନ କେନ୍ଦ୍ରରେ ପହଞ୍ଚାଇ ଥିଲେ। ଓଡ଼ିଶା ପକ୍ଷରୁ ହୋଇଥିବା ୫ଟି ବୁଥ୍‌ ମଧ୍ୟରୁ ରଣାସିଂ ବୁଥରେ ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା ୭୭ଖଣ୍ଡ ଭୋଟ ପଡିଥିବା ବେଳେ ସୀମାନ୍ତ ଆର୍ଜୁବାଲସା ଗ୍ରାମବାସୀଙ୍କ ପକ୍ଷରୁ ୭ ଖଣ୍ଡ ଭୋଟ ପଡିଥିଲା। ଉକ୍ତ ବୁଥ୍‌ ଅଧୀନରେ ୫୮୭ ଭୋଟର ରହିଥିଲେ ମଧ୍ୟ ନେରିଡିବାଲସା ଗ୍ରାମରୁ ୩୫ କି.ମି.ଦୂର ରଣାସିଂ ବୁଥରେ କେହି ଭୋଟର ପହଞ୍ଚି ନ ଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଗାଡ଼ି ବ୍ୟବସ୍ଥା ହେବା ପରେ ଉକ୍ତ ମତଦାନ କେନ୍ଦ୍ରରେ ଭୋଟରମାନେ ପହଞ୍ଚି ମତଦାନ କରିଥିଲେ।
ଅପରାହ୍ନ ୩ଟା ସୁଦ୍ଧା କୋଟିଆ ପଞ୍ଚାୟତରେ ୬୦ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଥିବା ବେଳେ ୪ଟା ପରେ ଉକ୍ତ ପଞ୍ଚାୟତରେ ୭୬.୫୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଉକ୍ତ ପଞ୍ଚାୟତରେ ରହିଥିବା ୫ଟି ବୁଥ ଯଥା ଫଗୁଣସିନେରି ବୁଥରେ ୫୯୮ ଭୋଟରଙ୍କ ମଧ୍ୟରୁ ୪୧୧ ଭୋଟର୍‌ ନିଜ ମତଦାନ ସାବ୍ୟସ୍ତ କରିଥିବା ବେଳେ ମାଡକାର୍‌ ଗ୍ରାମର ୩୩୫ ଭୋଟରଙ୍କ ମଧ୍ୟରୁ ୨୬୩ ମତଦାନ ସାବ୍ୟସ୍ତ କରିଥିଲେ। ସେହିପରି ଗଞ୍ଜେଇପଦରରେ ୭୭୦ଭୋଟରଙ୍କ ମଧ୍ୟରୁ ୫୭୩, କୋଟିଆରେ ୫୧୦ ଭୋଟରଙ୍କ ମଧ୍ୟରୁ ୩୬୩ ଏବଂ ରଣାସିଂର ୫୮୭ ଭୋଟରଙ୍କ ମଧ୍ୟରୁ ୨୧୫ ଭୋଟର୍‌ ନିଜ ମତଦାନ ସାବ୍ୟସ୍ତ କରିଥିବା ଜଣାପଡିଛି। ପଡୋଶୀ ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାନ୍ତ ନେରେଡିବାଲାସାରେ ହୋଇଥିବା ଗୋଟିଏ ବୁଥରେ ଓଡ଼ିଶାର ୧୨ ଗ୍ରାମବାସୀ ଓ ଆନ୍ଧ୍ରର ୧୧ ଗ୍ରାମବାସୀ ମତଦାନ କରିଥିଲେ।

Share